ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି କରେନା। ଦିନକୁ ଦିନ ସ୍ଥିତି ବିଗିଡ଼ି ଚାଲିଥିବା ବେଳେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଗଲାଣି । ସକ୍ରିୟ ରୋଗୀ ସଂଖ୍ୟା ୫ ହଜାର ଉପରେ ରହୁଥିବା ବେଳେ ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ସହ କୋଭିଡ୍ ପରିଚାଳନା ନେଇ ସୋମବାର ଜିଲ୍ଲା କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ସୁଶାନ କୁମାର ବେହେରାଙ୍କ ସମେତ ଅନ୍ୟ ବିଧାୟକଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ସମସ୍ତ ବ୍ଲକର ସ୍ବାସ୍ଥ୍ୟ ଅଧିକାରୀ, ବିଡିଓ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଭିଡିଓ କନ୍ଫରେନ୍ସ ଜରିଆରେ ଯୋଗ ଦେଇଥିଲେ। ଜିଲ୍ଲାରେ କରୋନା ଚିକିତ୍ସା ପାଇଁ ସମସ୍ତ ସାମଗ୍ରୀ ମହଜୁଦ୍ ଅଛି । ତେଣୁ ଜନସାଧାରଣ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କୋଭିଡ୍ରେ ଆଖି ବୁଜୁଥିବା ସଂକ୍ରମିତଙ୍କ ଶବଦାହରେ ଯେପରି ବିଳମ୍ବ ନହୁଏ ସେଥି ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। କୋଭିଡ୍ କେୟାର ସେଣ୍ଟର ଓ କୋଲିଡ ହସ୍ପିଟାଲ୍ର ସୁପରିଚାଳନା ସହିତ ସଂକ୍ରମିତଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଟିକାକରଣକୁ ତ୍ବରାନ୍ବିତ କରିବା ସହ ପରୀକ୍ଷଣ ବ୍ୟାପକ ଓ ଶୃଙ୍ଖଳିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ନେଇ କରୋନା ସମୀକ୍ଷା
- Post published:May 18, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
