୭୦୦ ବର୍ଷ ପୁରୁଣା ମଦନମୋହନ ମନ୍ଦିର ପୁନରୁଦ୍ଧାର ପାଇଁ ୧ କୋଟି ଦାବି, ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକଙ୍କ ଚିଠି

You are currently viewing ୭୦୦ ବର୍ଷ ପୁରୁଣା ମଦନମୋହନ ମନ୍ଦିର ପୁନରୁଦ୍ଧାର ପାଇଁ ୧ କୋଟି ଦାବି, ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକଙ୍କ ଚିଠି

ଅନୁଗୋଳ: ଅନୁଗୋଳ ଜିଲ୍ଲା ପୁରୁଣାଗଡ଼ ସ୍ଥିତ ଐତିହାସିକ ଶ୍ରୀ ଶ୍ରୀ ମଦନମୋହନ ମହାପ୍ରଭୁ ମନ୍ଦିରର ପୁନରୁଦ୍ଧାର ଓ ନବୀକରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ।

ମାଟିଆସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରୁଣାଗଡ଼ରେ ଥିବା ଏହି ୭୦୦ ବର୍ଷରୁ ଅଧିକ ପୁରୁଣା ମନ୍ଦିରଟି ଅଞ୍ଚଳର ଏକ ପ୍ରମୁଖ ଆଧ୍ୟାତ୍ମିକ ଓ ସାଂସ୍କୃତିକ କେନ୍ଦ୍ର। ରଥଯାତ୍ରା, ଦୋଳଯାତ୍ରା ଓ ଅନ୍ୟ ଧାର୍ମିକ ଉତ୍ସବ ସମୟରେ ଏଠାକୁ ବର୍ଷସାରା ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।

ବିଧାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ଗତ ଦୁଇ ବର୍ଷ ଧରି ଲଗାତାର ବର୍ଷା ଯୋଗୁଁ ମନ୍ଦିର ପରିସରରେ ଥିବା ରୋଷଘର, କଲ୍ୟାଣ ମଣ୍ଡପ, କମ୍ୟୁନିଟି ହଲ୍, ବାରଣ୍ଡା ଓ ଅନ୍ୟାନ୍ୟ ସହାୟକ କୋଠାଗୁଡ଼ିକ ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇପଡ଼ିଛି। ଛାତର କିଛି ଅଂଶ ଭୁଶୁଡ଼ି ପଡ଼ିଥିବାରୁ ଭକ୍ତ ଓ ସେବାୟତଙ୍କ ପାଇଁ ଗୁରୁତର ସୁରକ୍ଷା ସମସ୍ୟା ସୃଷ୍ଟି ହୋଇଛି। ସେଥିପାଇଁ ମନ୍ଦିରର ଐତିହାସିକ ଓ ଧାର୍ମିକ ମହତ୍ୱକୁ ଦୃଷ୍ଟିରେ ରଖି ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ୧ କୋଟି ଟଙ୍କା ମଞ୍ଜୁର କରିବାକୁ ନିବେଦନ କରିଛନ୍ତି। ଏହି ଅନୁଦାନରେ ମନ୍ଦିର ଓ ଏହାର ସଂଲଗ୍ନ କୋଠାଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ କରାଯାଇପାରିବ ବୋଲି ସେ ଉଲ୍ଲେଖ କରିଛନ୍ତି। ବିଧାୟକ କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଏହି ଅମୂଲ୍ୟ ଐତିହ୍ୟକୁ ସୁରକ୍ଷିତ ରଖିବା ସହ ହଜାର ହଜାର ଭକ୍ତଙ୍କ ସୁରକ୍ଷା ଓ ସୁବିଧା ସୁନିଶ୍ଚିତ କରିବ।”

Share

Leave a Reply