ଅନୁଗୋଳ: ସୋସିଆଲ ମିଡିଆ ମାଧ୍ୟମରେ ସୃଷ୍ଟି ହୋଇଥିବା ପ୍ରେମ ସମ୍ପର୍କ ଶେଷରେ ଥାନାରେ ପହଞ୍ଚିଛି। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗରେ ଅନୁଗୋଳ ଟାଉନ ଥାନା ପୋଲିସ ରଙ୍କାସିଙ୍ଗା ଗ୍ରାମର ସୁବ୍ରତ ଦାଶ (୨୬)ଙ୍କୁ ଗିରଫ କରିଛି।
ପୋଲିସ ସୂଚନା ମୁତାବକ, ପୁରୀ ଜିଲ୍ଲାର ଜଣେ ଯୁବତୀଙ୍କ ସହ ଇନ୍ଷ୍ଟାଗ୍ରାମ୍ରେ ସୁବ୍ରତଙ୍କ ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ବିବାହର ପ୍ରତିଶ୍ରୁତି ଦେଇ ସୁବ୍ରତ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ମାତ୍ର ପରେ ବିବାହ ପାଇଁ ମନା କରିଦେବାରୁ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ।
ଅନ୍ୟପକ୍ଷରେ, ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ହୋଇଛି। ସୁବ୍ରତଙ୍କ ଭାଇଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ଯୁବତୀ ସୁବ୍ରତଙ୍କୁ ବ୍ଲାକମେଲ୍ କରୁଥିଲେ। ଏହି ଘଟଣାରେ ପୋଲିସ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।











