ଅନୁଗୁଳ; କରୋନାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜାଣି ମର୍ମାହତ ହୋଇପଡିଥିଲେ ସ୍ଵାମୀ ଆଉ ସ୍ତ୍ରୀଙ୍କ ମୃତ୍ୟୁର ୨ଦିନ ପରେ ହୃଦ୍ଘାତରେ ଚାଲିଗଲା ସ୍ଵାମୀଙ୍କ ଜୀବନ। ଏଭଳି ଦୁଃଖଦାୟକ ଘଟଣା ଘଟିଛି ଅନୁଗୁଳର ହାତୀଶାଳପଡାରେ। ସୂଚନା ଅନୁଯାୟୀ, ଅନୁଗୁଳ ହାତୀଶାଳପଡାରେ ଅବସରପ୍ରାପ୍ତ କଳା ଶିକ୍ଷକ ଗୋକୁଳ ଚନ୍ଦ୍ର ପାଳ(୭୮) ସ୍ତ୍ରୀ ଗୀତାରାଣୀ ପାଳ(୬୬) ପରିବାର ସହ ରହୁଥିଲେ।କିନ୍ତୁ କରୋନା ସ୍ବାମୀଠାରୁ ସ୍ତ୍ରୀଙ୍କୁ ଅଲଗା କରି ଦେଇଥିଲା। ସ୍ତ୍ରୀ ଗୀତାରାଣୀ କରୋନାରେ ଆକ୍ରାନ୍ତ ହେବା ପରେ ସ୍ବାମୀ ଦୁଃଖରେ କୌଣସି ଖାଦ୍ୟ ଗ୍ରହଣ କରିନଥିଲେ। ଗୀତାରାଣୀଙ୍କ ଶ୍ଵାସ, ଶର୍କରା ଭଳି ରୋଗ ଥିବାରୁ କରୋନାରେ ଆକ୍ରାନ୍ତ ହେବା ପରେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଫଳରେ ପ୍ରଶାସନ ପକ୍ଷରୁ ତାଙ୍କୁ ଚିକିତ୍ସା ପାଇଁ ବଳରାମପ୍ରସାଦ ସ୍ଥିତ କରୋନା କେୟାର ହୋମରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୭ତାରିଖ ରାତି ପ୍ରାୟ ୧୧ଟା ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ତ୍ରୀଙ୍କ ମୃତ୍ୟୁ ଖବର ପାଇ ସ୍ବାମୀ ଗୋକୁଳ ହତବାକ୍ ହୋଇଯାଇଥିଲେ। ସ୍ତ୍ରୀଙ୍କ ସ୍ମୃତିକୁ ମନେ ପକାଇ ରବିବାର ସେ ହୃଦ୍ଘାତରେ ଆରପାରିକୁ ଚାଲିଗଲେ।ସୂଚନାଯୋଗ୍ୟ, ଗୋକୁଳ ଚନ୍ଦ୍ର ଅନୁଗୁଳ ଜିଲ୍ଲାରେ ଜଣେ କଳା ଶିକ୍ଷକ ଭାବରେ ବେଶ ପରିଚିତ ଥିଲେ। ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ସେ ୧୯୭୦ ମସିହାରୁ ୧୯୯୨ ପର୍ଯ୍ୟନ୍ତ କଳା ଶିକ୍ଷକ ରୂପେ କାର୍ଯ୍ୟ କରିଥିଲେ।
