ଅନୁଗୁଳ ଦଣ୍ଡନାଚ ଦେଖି ଘରକୁ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଅନୁଗୁଳ ଜରପଡା ଥାନା ଅନ୍ତର୍ଗତ ବଡହିଂସର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ ଓ ଧିରେନ ସାହୁ ବାଇକ୍ରେ ପୁରୁଣାକୋଟ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁକୁ ଦଣ୍ଡନାଚ ଦେଖିବାକୁ ଯାଇଥିଲେ। ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ହିଂସିରିଡା ଗ୍ରାମ ନିକଟରେ କୌଣସି ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଧକ୍କା ଫଳରେ ଉଭୟ ରାସ୍ତା ଉପରେ ଛିଟିକି ପଡ଼ିଥିଲେ।
ସେହି ରାସ୍ତାରେ ଯାଉଥିବା ପଥଚାରୀମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ସହାୟତାରେ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।











