ଅନୁଗୋଳ: ଜିଲ୍ଲାରେ ବନ୍ୟପ୍ରାଣୀ ଓ ବନ ସମ୍ପଦର ସୁରକ୍ଷାକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ଅନୁଗୋଳ ବନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ରକ୍ଷଣାବେକ୍ଷଣ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଜି ଜରପଡ଼ା ରେଞ୍ଜ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅସ୍ତ୍ର ନିରୀକ୍ଷକ ଗଗନେଶ୍ୱର ବେହେରା ଯୋଗଦେଇ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିଥିଲେ।
ଏହି ପ୍ରଶିକ୍ଷଣରେ ଜରପଡ଼ା ରେଞ୍ଜର ଅଧିକାରୀ, ଫରେଷ୍ଟର, ବନରକ୍ଷୀ ଓ ସ୍କ୍ୱାଡ୍ ସଦସ୍ୟମାନେ ସାମିଲ ହୋଇଥିଲେ। ବିଭାଗୀୟ ଅସ୍ତ୍ରର ନିରାପଦ ବ୍ୟବହାର, ସଠିକ୍ ସଫାସୁଫା, ରକ୍ଷଣାବେକ୍ଷଣ ଓ ନିର୍ଦ୍ଧାରିତ ସୁରକ୍ଷା ନିୟମାବଳୀର କଠୋର ପାଳନ ଉପରେ ଶ୍ରୀ ବେହେରା ବିଶେଷ ଗୁରୁତ୍ୱାରୋପ କରିଥିଲେ।
ଏଭଳି ପ୍ରଶିକ୍ଷଣ ଅଗ୍ରଧାଡ଼ିର କର୍ମଚାରୀଙ୍କ ଶୃଙ୍ଖଳା ଓ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାରେ ସହାୟକ ହେବ। ଏହାଦ୍ୱାରା ବନ ସୁରକ୍ଷା ଓ ଶିକାରୀଙ୍କ ଉପରେ କଡ଼ା ନଜର ରଖିବା ପ୍ରକ୍ରିୟା ଅଧିକ ଫଳପ୍ରଦ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।











