ଅମାନିଆ ଗାଡ଼ି ଚାଳକ ଗଣିଲେ ୮୬ ଲକ୍ଷ ଟଙ୍କା ଜରିମାନା

You are currently viewing ଅମାନିଆ ଗାଡ଼ି ଚାଳକ ଗଣିଲେ ୮୬ ଲକ୍ଷ ଟଙ୍କା ଜରିମାନା

ଅନୁଗୁଳ:ଅନୁଗୁଳ ଜିଲ୍ଲାରେ ଶେଷ ହୋଇଛି ଶୂନ୍ୟ ମୃତାହତ ସପ୍ତାହ। ଦୁର୍ଘଟଣାରେ ଜୀବନ ନ ଯିବା ଲକ୍ଷ୍ୟ ନେଇ ଏହି ସପ୍ତାହରେ ପରିବହନ ବିଭାଗ ପକ୍ଷରୁ ଜୋରଦାର୍ ଧରପଗଡ଼ କରାଯାଇଥିଲା। ଏହି ସମୟରେ ଅନୁଗୁଳ ଜିଲ୍ଲାରେ ପ୍ରାୟ ସାଢ଼େ ୭ ଶହ ଲୋକ ଧରାପଡ଼ିଥିଲେ। ମୋଟର ଯାନ ଆଇନ୍ ଅବମାନନା ପାଇଁ ୬୨ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ଅମାନିଆ ଗାଡ଼ି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି ପୋଲିସ ପକ୍ଷରୁ ୨୪ ଲକ୍ଷ ୨୯ ହଜାର ୩ଶହ ଟଙ୍କା ଜରିମାନା ଆଦାୟ ହୋଇଛି। ଏମିତି ଜିଲ୍ଲାରେ ଗୋଟିଏ ସପ୍ତାହରେ ଅମାନିଆ ଡ୍ରାଇଭରଙ୍କୁ ୮୬ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ବେଆଇନ୍ ଗାଡ଼ି ଚାଳକଙ୍କୁ ସାବାଡ୍ କରିବା ପାଇଁ ଗତ ପହିଲାରୁ ଅନୁଗୁଳ ଜିଲ୍ଲାରେ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି କରାଯାଇଥିଲା। ବିନା ହେଲମେଟରେ ଗାଡ଼ି ଚଳାଇବା, ନାବାଳକ ଗାଡ଼ି ଚାଳନା, ୪ ଚକିଆ ଯାନଗୁଡ଼ିର ଫିଟନେସ ଓ ବୀମା ନେଇ ଯାଞ୍ଚ କରିଥିଲେ ଅଧିକାରୀ। ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଯାଞ୍ଚ କରାଯାଇଥିଲା। ଏହି ସମୟରେ ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୩୭୨ଟି ଚାଲାଣ କଟାଯାଇଛି। ଅମାନିଆ ଗାଡ଼ି ଚାଳକଙ୍କୁ ୩୯ଲକ୍ଷ ୪୨ ହଜାର ୮୫୦ ଟଙ୍କା ଜରିମାନା କରାଯାଇଛି। ସେହିପରି ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସମୁଦାୟ ୩୬୯ଟି ଚାଲାଣ କଟିଛି। ନିୟମ ମାନିନଥିବା ଗାଡ଼ି ଚାଳକଙ୍କୁ ଏହି ସମୟ ଭିତରେ ୨୧ ଲକ୍ଷ ୯୭ ହଜାର ୨୧୬ ଟଙ୍କା ଜରିମାନା କରାଯାଇଛି।

ଏହି ସପ୍ତାହରେ ଅନୁଗୁଳ ପୁଲିସ ପକ୍ଷରୁ ମଧ୍ୟ ଅମାନିଆ ଗାଡ଼ି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୁଇ ଚକିଆରେ ୩ଜଣ ଯାଉଥିଲାବେଳେ ୩୬୮ ଜଣ ଧରାପଡ଼ିଥିଲେ। ସେହିପରି ମଦ ପିଇ ଗାଡ଼ି ଚଳାଇ ୩୪୦ ଜଣ ଜରିମାନା ଗଣିଛନ୍ତି। ବେଆଇନ ପାର୍କିଂ ପାଇଁ ୪୬୨ ଜଣ ଓ ଅତିରିକ୍ତ ମାଲ ପରିବହନ ପାଇଁ ୩୧ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହେଲମେଟ ନ ପିନ୍ଧି ୧୬୫୭ ଜଣ ଓ ସିଟବେଲ୍ଟ ନ ବାନ୍ଧି ୪୬୩ ଜଣ ଧରାପଡ଼ିଛନ୍ତି। ଏହି ଅମାନିଆ ଗାଡ଼ି ଚାଳକଙ୍କଠାରୁ ପୁଲିସ ୨୪ ଲକ୍ଷ ୨୯ ହଜାର ୩ ଶହ ଟଙ୍କା ଜରିମାନା ଆଦାୟ କରିଥିବା ପୋଲିସ ସୂଚନା ଦେଇଛି।

Share

Leave a Reply