ଅନୁଗୁଳ : ଯୁକ୍ତ୨ରେ ଖାଲିଥିବା ସିଟ୍ ପୂରଣ ପାଇଁ ତୃତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଥିବା ଆଶାୟୀ ଛାତ୍ରଛାତ୍ରୀ ନଭେମ୍ବର ୧୮ ତଥା ଗୁରୁବାର ପୂର୍ବାହ୍ନ ୧୧ଟା ୩୦ରୁ ୨୨ ତାରିଖ ରାତି ୧୧ଟା ୫୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। ୨୪ ତାରିଖ ଅପରାହ୍ନ ୩ଟାରେ ମେଧା ତାଲିକା ସହ ୱେଟିଂ ଲିଷ୍ଟ ଛାତ୍ରଛାତ୍ରୀଙ୍କ ତାଲିକା ମଧ୍ୟ ପ୍ରକାଶ ପାଇବ। ୨୫ ତାରିଖ ପୂର୍ବାହ୍ନ ୧୦ଟାରୁ ୨୬ ତାରିଖ ଅପରାହ୍ନ ୪ଟା ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ। ୨୬ ତାରିଖ ଅପରାହ୍ନ ୪ଟା ୧୫ରୁ ୨୭ ତାରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୱେଟିଂ ଲିଷ୍ଟ ତାଲିକାରେ ଥିବା ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିପାରିବେ। ୨୭ ତାରିଖ ଅପରାହ୍ନ ୪ଟାରେ ଅପେକ୍ଷାରତ ଛାତ୍ରଛାତ୍ରୀଙ୍କର ମେଧା ତାଲିକା ପ୍ରକାଶ ପାଇବା ସହ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ ନାମଲେଖା ହେବ। ୩୦ ତାରିଖ ସୁଦ୍ଧା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନାମଲେଖା ସମ୍ବନ୍ଧୀୟ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍ରେ ଦାଖଲ କରିବେ । ଛାତ୍ରଛାତ୍ରୀ ସାମ୍ସ ୱେବ୍ସାଇଟ୍ ଓ ସଂଯୋଗ ସହାୟତା ନମ୍ବରରେ ଯୋଗାଯୋଗ କରି ସବିଶେଷ ତଥ୍ୟ ପାଇପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି ହୋଇଛି। ଏଥସହ ନିର୍ଦେଶାଳୟ ପକ୍ଷରୁ ନାମଲେଖା ସମ୍ବନ୍ଧୀୟ ନିୟମାବଳୀ ମଧ୍ୟ ଜାରି କରାଯାଇଛି। ଦଶମ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏହି ପର୍ଯ୍ୟାୟ ନାମଲେଖାରେ କୌଣସି ପ୍ରକାର ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ନାହିଁ। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଆବେଦନ କରି ସିଟ୍ ପାଇ ନ ଥିବା ଛାତ୍ରଛାତ୍ରୀ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍) ଫି’ ଦାଖଲ ନ କରି ପୂର୍ବରୁ ଥିବା ଲଗ୍ଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଏହି ପର୍ଯ୍ୟାୟରେ ସିଏଏଫ୍ରେ ତ୍ରୁଟି ସଂଶୋଧନ ଲାଗି ପ୍ରାର୍ଥୀଙ୍କୁ କୌଣସି ପ୍ରକାର ସୁଯୋଗ ମିଳିବ ନାହିଁ। ସିଏଏଫ୍ରେ ଭୁଲ୍ ଥିଲେ ତାହାକୁ ବାତିଲ୍ କରି ଦିଆଯିବ। ନାମଲେଖା ସମୟରେ ଛାତ୍ରଛାତ୍ରୀ ସମ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଯୁକ୍ତ୨ କଲେଜରେ ଦାଖଲ କରିବେ । ଯେଉଁମାନେ ନୂଆ କରି ଆବେଦନ କରିବାକୁ ଚାହୁଛନ୍ତି ସେମାନେ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇଡି ଦେଇ ୱେବସାଇଟ୍ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ ବୋଲି ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି।
ଯୁକ୍ତ୨ ପାଇଁ ପୁଣିଥରେ ନାମଲେଖା, ଆଜିଠୁ ଆବେଦନ
- Post published:November 18, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul