ଅନୁଗୁଳ: ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ମଙ୍ଗଳବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଫେବ୍ରୁଆରୀ ମାସରେ ହୋଇଥିବା ଦୁର୍ଘଟଣା, କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ପଦକ୍ଷେପ ଉପରେ ପରିବହନ ବିଭାଗ ସୂଚନା ଦେଇଥିଲା।
ପରିବହନ ବିଭାଗ ସୂଚନା ଅନୁଯାୟୀ, ଫେବ୍ରୁଆରୀ ମାସରେ ଜିଲ୍ଲାରେ ମୋଟ ୩୫ ଦୁର୍ଘଟଣା ଘଟିଥିବା ବେଳେ ୨୨ ଜଣଙ୍କର ମୃତ୍ୟୁ ଘଟିଛି, ୧୦ ଜଣ ଗୁରୁତର ଆହତ ଓ ୮ ଜଣ ସାମାନ୍ୟ ଆହତ ହୋଇଛନ୍ତି। ବିନା ହେଲମେଟରେ ଗାଡି ଚାଳନା ଯୋଗୁ ୭୧୦ ଜଣ, ବିନା ସିଟ୍ ବେଲ୍ଟ ପାଇଁ ୫୦ଜଣ, ଦ୍ରୁତ ଗାଡି ଚାଳନା କରିବା ଯୋଗୁ ୬୦୪ ଜଣ, ମଦ୍ୟପାନ କରି ଗାଡିଚାଳନା ପାଇଁ ୫ ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିବା ବେଳେ ୪୨୦ ଜଣଙ୍କର ଲାଇସେନ୍ସ ରଦ୍ଦ କରାଯାଇଛି ଓ ୬୫ ଟି ଗାଡି ଜବତ କରାଯାଇଛି। ସେହିପରି ଦ୍ରୁତ ଗାଡି ଚାଳନା କରିବା ଯୋଗୁ ୧ ଜଣଙ୍କ ଠାରୁ ୨ ହଜାର ଟଙ୍କା, ଗାଡି ଚଲାଇବା ବେଳେ ମୋବାଇଲ ବ୍ୟବହାର ଅଭିଯୋଗରେ ୨୧୨ ଟି ମାମଲାରେ ୧୦ ଲକ୍ଷ ୬୦ ହଜାର ଟଙ୍କା, ବିନା ହେଲମେଟରେ ଗାଡି ଚାଳନା ଯୋଗୁ ୨୦୭୯ ଜଣଙ୍କ ଠାରୁ ୨୦ ଲକ୍ଷ ୭୯ ହଜାର ଟଙ୍କା, ବିନା ସିଟ୍ ବେଲ୍ଟରେ ୧୧୭ ଜଣଙ୍କ ଠାରୁ ୧ ଲକ୍ଷ ୧୭ ହଜାର ଟଙ୍କା, ଟ୍ରାଫିକ ନିୟମ ଅବମାନନା ଏବଂ ନୋ ପାର୍କ ଜୋନରେ ଗାଡି ପାର୍କିଂ କରିବା ଅଭିଯୋଗରେ ୧୧୭୦ଟି ମାମଲାରେ ୨୪ ଲକ୍ଷ ଟଙ୍କା ଆଦାୟ କରାଯାଇଛି। ଏଥିସହ ମଦ୍ୟପାନ କରି ଗାଡ଼ି ଚାଳନା ନିମନ୍ତେ ୩୧୩ ଟି ମାମଲା ରୁଜୁ କରାଯାଇଛି।
ବୈଠକରେ ଅନ୍ୟମାନଙ୍କ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ର. ସୁରେନ୍ଦ୍ରନାଥ ରାୟଗୁରୁ, ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା, ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା, ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ନିଷ୍ଫଳ କୁମାର ପଟ୍ଟନାୟକଙ୍କ ସମେତ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।