ଅନୁଗୁଳ: ଅନୁଗୁଳ ସହରର ମା’ ବୁଢୀ ଠାକୁରାଣୀ ମନ୍ଦିର ନିକଟ ଶିବ ମନ୍ଦିରରୁ ମଙ୍ଗଳବାର ରାତିରେ ଚୋରି ଉଦ୍ୟମ ହୋଇଛି । ଏତଲା କ୍ରମେ ପୁଲିସ୍ ମାମଲା ରୁଜୁ କରିବା ସହ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର୍ ହୋଇଯାଇଛି। ଗିରଫ ଅଭିଯୁକ୍ତ ହେଲା, କାଳିଆ ନାୟକ(୨୪) । ତା’ର ଘର ଢେଙ୍କାନାଳ ଟାଉନ୍ ଥାନା ଇଲାକା ଚନ୍ଦନ ବଜାର ନିକଟ ଗୋପାଳ ସାହିରେ ବୋଲି ଜଣାପଡ଼ିଛି। ପୁଲିସ୍ ତା’ ଠାରୁ ଚୋରିରେ ବ୍ୟବହୃତ ଏକ ସ୍କୁଟର ଜବତ କରିଛି।ସୂଚନା ଯେ, ଦୁଇ ଜଣ ଦୁର୍ବୃତ୍ତ ମଙ୍ଗଳବାର ରାତି ପ୍ରାୟ ୧୧ଟା ବେଳକୁ ବୁଢୀ ଠାକୁରାଣୀ ମନ୍ଦିର ନିକଟରେ ପହଞ୍ଚିଥିଲେ । ମନ୍ଦିର ପରିସର ଜନଶୂନ୍ୟ ହୋଇଯିବା ପରେ ରାତି ପ୍ରାୟ ୧୨ଟା ବେଳକୁ ଶିବ ମନ୍ଦିରକୁ ଯାଇଥିଲେ । ଗ୍ରୀଲରେ ଲାଗିଥିବା ତାଲା ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଇତିମଧ୍ୟରେ ମନ୍ଦିର ପୂଜକ ନରେଶ ଚନ୍ଦ୍ର ମହାପାତ୍ର କୌଣସି ସୂତ୍ରରୁ ଖବର ପାଇ ମନ୍ଦିରରେ ପହଞ୍ଚିଥିଲେ। ତାଙ୍କ ପାଟି ଶୁଣି ଦୁଇ ଦୁର୍ବୃତ୍ତ ସ୍କୁଟର ଛାଡ଼ି ଫେରାର୍ ହୋଇଯାଇଥିଲେ। ମନ୍ଦିର ପୂଜକ ବୁଧବାର ଥାନାରେ ଏ ସଂକ୍ରାନ୍ତରେ ଏତଲା ଦେଇଥିଲେ। ପୁଲିସ୍ କେସ୍ ରୁଜ୍ଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ କାଳିଆକୁ ଗିରଫ କରି କୋର୍ଟଚାଲାଣ କରିଛି। ଅନ୍ୟତମ ଅଭିଯୁକ୍ତକୁ ଖୁବ୍ଶୀଘ୍ର ଧରାଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।
ଶିବ ମନ୍ଦିର ତାଲା ଭାଙ୍ଗି ଚୋରି ଉଦ୍ୟମ
- Post published:October 21, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul