ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସମାବ୍ୟ ମରୁଡିର ସ୍ଥାୟୀ ମୁକାବିଲା ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କାର୍ଯ୍ୟାଳୟ ସମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତା କରିଥିଲେ। ମରୁଡିର ମୁକାବିଲା ପାଇଁ ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଥିଲା। ସମସ୍ତ କ୍ଷେତ୍ର ଅଧିକାରୀମାନେ ନିଜ ନିଜ କ୍ଷେତ୍ରରେ ରହି ସ୍ଥିତିକୁ ଭଲ ଭାବରେ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ମରୁଡି ସମ୍ପର୍କିତ ସମସ୍ତ ସୂଚନାକୁ ଉପରିସ୍ଥ ଅଧିକାରୀମାନଙ୍କୁ ନିୟମିତ ଅବଗତ କରିବାକୁ ପରାମର୍ଶ ଦେଇଥିଲେ। ଅଧିକାରୀମାନେ ମରୁଡି ଗ୍ରସ୍ତ ଓ ସ୍ବଳ୍ପ ବୃଷ୍ଟିରେ ପ୍ରଭାବିତ ହୋଇ ଥିବା କ୍ଷେତ୍ର ପରିଦର୍ଶନ କରି ନୂତନ କାର୍ଯ୍ୟକ୍ରମ ଓ ଯୋଜନା ପ୍ରସ୍ତୁତ କରିବେ। ଜଳଛାୟା ପ୍ରକଜକୁ ଅଧିକ ତ୍ବରାନ୍ବିତ କରାଯିବ। ଯେପରି ଆଗାମୀ ରବି ଫସଲର ଅମଳ ଭଲ ହୋଇପାରିବ। ଛୋଟ ଛୋଟ ଜଳଛାୟା ଦ୍ୱାରା ଆମେ ମରୁଡି ପରିସ୍ଥିତିକୁ କିଛି ମାତ୍ରାରେ କମ୍ କରିପାରିବା ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। କୃଷି ସହିତ ଅଣ କୃଷି କାର୍ଯ୍ୟକ୍ରମ ଯଥା- କୁକୁଡା ପାଳନ, ଫସଲ ବିବିଧିକରଣ ଆଦି କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେବା ଓ ନୂତନ କାର୍ଯ୍ୟକ୍ରମ ପଦ୍ଧତିକୁ ଆପଣାଇ ନେବା ଉପରେ ଗୁରୁତ୍ବ ଦିଆଯାଇଥିଲା। ବନ୍ଦ ଓ ଖରାପ ହୋଇ ପଡିଥିବା ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ତୁରନ୍ତ ମରାମତି କରିବା ଓ ଏହାର ପୁନରୁଦ୍ଧାର କରି ଚାଲୁ କରିବାକୁ ବିଭାଗୀୟ ଅଧୁକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅଧିକ କାର୍ଯ୍ୟଦିବସ ସୃଷ୍ଟି କରିବା ଓ ଏହି ଯୋଜନାରେ ଗ୍ରାମାଞ୍ଚଳରେ ଥିବା ଜଳଛାୟା ପ୍ରକଳ୍ପ ଗୁଡିକୁ କାର୍ଯ୍ୟକାରୀ କରିବାକୁ ସ୍ଥିର କରାଗଲା। ପଶୁଧନର ସୁରକ୍ଷା ଲାଗି ଗ୍ରାମ ସ୍ତରୀୟ କାର୍ଯ୍ୟକ୍ରମ ତଥା ପଶୁ ଶିବିର ଓ ଗୋ ଖାଦ୍ୟ ଗଛିତ ରଖିବା ପାଇଁ ନଷ୍ପତ୍ତି ନିଆଗଲା। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥି ବୈଠକର ଉଦ୍ଦେଶ୍ୟ ଓ ଗୁରୁତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ତାଳଚେର ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କ ସମେତ କୃଷି,ପଶୁ ସମ୍ପଦ, ଜଳଛାୟା, ଉଠାଜଳସେଚନ, ଡେରେଜାଙ୍ଗ, ଆଉନାଳୀ, ରେଙ୍ଗାଳୀ, କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ଜରୁରୀକାଳିନ ଅଧିକାରୀ ବଇତୁରା ଦିପ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷର ଜିଲ୍ଲା ପ୍ରକଳ୍ପ ଅଧୁକାରୀ ପ୍ରଦୋଷ କୁମାର ଶତପଥି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ମରୁଡିର ସ୍ଥାୟୀ ମୁକାବିଲା ନେଇ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ
- Post published:September 7, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul