ଅନୁଗୁଳ: ପୁଣି ବଦାନ୍ୟତା ଦେଖାଇଛନ୍ତି କିଟ୍-କିସର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ। ଅନୁଗୁଳ ଜିଲ୍ଲା ବଳରାମପୁର ନିକଟସ୍ଥ ସିତୁରା ସାହିର ୩ ମୂକ ବଧିର ପିଲାଙ୍କୁ ସହାୟତାର ହାତ ବଢ଼ାଇଛି କିସ୍ ଫାଉଣ୍ଡେସନ୍। ଗଣମାଧ୍ୟମରେ ଏହି ତିନି ପିଲାଙ୍କ ଦୁଃଖଦ ଘଟଣା ପ୍ରସାରିତ ହେବା ପରେ କିଟ୍, କିସ୍ ଓ କିସ୍ ଫାଉଣ୍ଡେସନ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିଥିଲା। ସେ ଗଭୀର ଦୁଃଖ ପ୍ରକାଶ କରିବା ସହ ୩ ପିଲାଙ୍କୁ ସହାୟତା ଯୋଗାଇ ଦେଇଛନ୍ତି।
ଶ୍ରୀ ସାମନ୍ତ ନିଜ ପ୍ରତିନିଧିଙ୍କୁ ବଳରାମପୁର ପଠାଇ ପିଲାମାନଙ୍କ ସମ୍ପର୍କରେ ସବିଶେଷ ଜାଣିଥିଲେ। ପିତା ସନା ଓ ମା ଝୁମୁରୀ ଅତ୍ୟନ୍ତ ଗରିବ ହୋଇଥିବା ବେଳେ ମୂକ ବଧିର ତିନି ପିଲାଙ୍କୁ ନେଇ ପରିବାର ଚଳାଇବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଥିଲା। ଏଣୁ ଶ୍ରୀ ସାମନ୍ତ ତୁରନ୍ତ ସେମାନଙ୍କୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଶ୍ରୀ ସାମନ୍ତଙ୍କ ପରାମର୍ଶ କ୍ରମେ କିସ୍ ଫାଉଣ୍ଡେସନ୍ ଏହି ତିନି ପିଲାଙ୍କ ଚଳିବା ଓ ପାଠ ପଢ଼ିବା ପାଇଁ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ମାସିକ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେବ। ଅଭାବ ପରିସ୍ଥିତିରେ ସମୁଚିତ ସାହାଯ୍ୟ ପାଇ ସନାଙ୍କ ପରିବାର କିସ୍ ଫାଉଣ୍ଡେସନ୍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। କିସ୍ ଫାଉଣ୍ଡେସନ୍ ଓ ଶ୍ରୀ ସାମନ୍ତଙ୍କ ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି।