ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକସ୍ଥିତ ମାଧପୁର ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଡୁମାଳ ପରିଷଦର ସ୍ୱତନ୍ତ୍ର ଜିଲ୍ଲା ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଛି। ବରିଷ୍ଠ ଆଇନଜୀବୀ ଅଞ୍ଜନ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଭାପତି ଦୟାସାଗର ମେଣ୍ଡୁଲି ଉଦ୍ଘାଟନ କରିଥିଲେ।
ଏହି ସମ୍ମିଳନୀରେ ସମାଜର ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରହି ଶୃଙ୍ଖଳିତ ଓ ସଂସ୍କାରୀ ହେବାକୁ ଆହ୍ୱାନ ଦିଆଯାଇଥିଲା। ସଭାପତି ଶ୍ରୀ ମେଣ୍ଡୁଲି ପିତାମାତାଙ୍କ ସେବା କରିବା ସହ ବୈଷୟିକ ଜ୍ଞାନକୁ କୃଷି କ୍ଷେତ୍ରରେ ପ୍ରୟୋଗ କରି ଆତ୍ମନିର୍ଭରଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ। ବିଭିନ୍ନ ଜିଲ୍ଲାରୁ ଆସିଥିବା ବହୁ ସମ୍ମାନିତ ଅତିଥି ଯୋଗଦେଇ ସଂଗଠନକୁ ମଜବୁତ କରିବା ଉପରେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପୂର୍ବରୁ ମହାନଦୀ ବେଲପୁଞ୍ଜି ମଠରୁ ଏକ ବିରାଟ କଳସ ଶୋଭାଯାତ୍ରା ବାହାରିଥିଲା। ସଭା ପରିଚାଳନାରେ ଯତୀନ୍ଦ୍ର କଳତା, ପ୍ରଦୀପ ଚାଉଳିଆ ଓ ସ୍ଥାନୀୟ କର୍ମକର୍ତ୍ତାମାନେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।











