ଅନୁଗୋଳ: ଶିକ୍ଷକମାନଙ୍କ ଇଂରାଜୀ ଶିକ୍ଷାଦାନ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଆୟୋଜିତ ପଞ୍ଚଦିବସୀୟ ଜିଲ୍ଲାସ୍ତରୀୟ ଇଂରାଜୀ ଭାଷା ସମୃଦ୍ଧି ଆବାସିକ ପ୍ରଶିକ୍ଷଣ ଶିବିର ଆଜି ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉଦଯାପିତ ହୋଇଛି। ଏଥିରେ ଜିଲ୍ଲାର ୮ଟି ବ୍ଲକରୁ ୬୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ମଧୁସ୍ମିତା ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଲୋପାମୁଦ୍ରା ପଟ୍ଟନାୟକ, ପ୍ରଧାନ ଶିକ୍ଷକ ପ୍ରିୟବ୍ରତ ମାଝୀ ଓ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ ଗଡ଼ନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ପ୍ରଶିକ୍ଷଣରେ ଇ-କଣ୍ଟେଣ୍ଟ, ଭିଡିଓ ମାଧ୍ୟମରେ ଭାଷା ଶିକ୍ଷାଦାନ, କଥୋପକଥନ, ଦଳଗତ କାର୍ଯ୍ୟ ଓ ଶିଶୁକେନ୍ଦ୍ରିକ ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଶିକ୍ଷାର୍ଥୀଙ୍କ ମନରୁ ଇଂରାଜୀ ଭୟ ଦୂର କରି “ଶୁଣିବା-କହିବା-ପଢ଼ିବା-ଲେଖିବା” ଦକ୍ଷତା ବିକାଶ ଉପରେ ଆଲୋଚନା ହୋଇଥିଲା। ତୃପ୍ତିମୟୀ ଭୁତିଆ, ରାଜଲକ୍ଷ୍ମୀ ସାହୁ, ଚିନ୍ମୟୀ ମହାପାତ୍ର, ଅରୁଣ କୁମାର ବାଘ, ସୁଜିତ ସୁମନ ସାହୁ ଓ ସୁନୀଲ କୁମାର ସାହୁ ସାଧନକର୍ମୀ ଭାବେ ପ୍ରଶିକ୍ଷଣ ଦେଇଥିଲେ। ଜିଲ୍ଲା ଶିକ୍ଷା ସଂଯୋଜକ ମନୋରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ଶିବିର ସୁଚାରୁରୂପେ ସମ୍ପାଦିତ ହୋଇଥିଲା।












