ଅନୁଗୁଳ: ଦିନକ ପରେ ଦେଶ ପାଳିବ ୭୮ତମ ସ୍ୱାଧନତା ଦିବସ। ଏ ଅବସରରେ ରାଜ୍ୟ ସରକାରଙ୍କ ଆହ୍ୱାନକ୍ରମେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା ଆଜି ଆୟୋଜିତ ହୋଇଯାଇଛି। ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଅଙ୍ଗନୱାଡି କର୍ମୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇ ଜାତୀୟ ପତାକା ପ୍ରଦର୍ଶନ କରି ବିଭିନ୍ନତା ଭିତରେ ଏକତାର ବାର୍ତ୍ତା ଦେଇଥିଲେ।
ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଏହି ଶୋଭାଯାତ୍ରାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ବାହାରି ଜେଲ ଛକ, ଅନୁଗୁଳ ବଜାର, ଜଗନ୍ନାଥ ମନ୍ଦିର ଦେଇ ସ୍ଥାନୀୟ ସଭାଘର ଠାରେ ଏକତ୍ରିତ ହୋଇଥିଲେ। ଏଠାରେ ଆୟୋଜିତ ଦସ୍ତଖତ ଅଭିଯାନ ଓ ସଭାରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଏକତାର ବାର୍ତ୍ତା ଦେବା ପାଇଁ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରିଣୀ ସୁସ୍ମିତା ସାହୁ, ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ବିଶ୍ବଭୂଷଣ, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ଲଜ କୁମାର ଗଡନାୟକ ପ୍ରମୁଖ ଯୋଗ ଦେଇଥିଲେ।