ଅନୁଗୁଳ: ସଚେତନତା, ଗୋଷ୍ଠୀଗତ ସହଯୋଗ ଏବଂ ବ୍ୟବହାରିକ ପରିବର୍ତ୍ତନ ଦ୍ୱାରା ସମାଜରେ ଯେ କୌଣସି କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରାଯାଇପାରିବ। ଆଠମଲ୍ଲିକ ବ୍ଳକ୍ ସାନହୁଲା ପଂଚାୟତ ମହୁଲନାଳି ଗାଁ ର ଲୋକେ ଏଭଳି ଏକ କାର୍ଯ୍ୟକୁ ସଫଳତାର ସହ ସଂପନ୍ନ କରି ଓଡ଼ିଶାରେ ରକ୍ତହୀନତା ଦୂରକରିବାରେ ପ୍ରଥମ ଗାଁ ଭାବେ ପରିଚୟ ସାଉଁଟିଛନ୍ତି। ସନ୍ଧ୍ୟା ୮ ଟା ବାଜିଲେ ଗାଁ କମ୍ୟୁନିଟି ସେଣ୍ଟରରେ ଘଣ୍ଟ ବାଜିଉଠେ । ଘଣ୍ଟଧ୍ୱନି ଶୁଣି ସେଠାକୁ ଧାଇଁଯାନ୍ତି କିଶୋରୀ ଏବଂ ମହିଳା ମାନେ । ସେଠାରେ ସେମାନଙ୍କୁ ଆଇରନ୍, ଫଲିକ୍ଏସିଡ୍ ଟାଵଲେଟ୍
ଦିଆଯାଏ ଖାଇବା ପାଇଁ। ଏହି ଗାଁ ର ୩ ଟି ବସ୍ତିରେ ରହୁଥିବା ୬୩ ପ୍ରତିଶତ ଲୋକ ରକ୍ତହୀନତାର ଶିକାର ହୋଇଥିବା ୨୦୧୯ ଅଗଷ୍ଟ ମାସରେ ସ୍ଵାସ୍ଥ୍ୟ ବିଭାଗର ଏକ ପରିକ୍ଷଣରୁ ଏହା ଜଣା ପଡିଥିଲା। ଏହାପରେ ସେ ଅଂଚଳର ମହିଳା ଗୋଷ୍ଠୀ,ଜନ ପ୍ରତିନିଧି ସମସ୍ତେ ମିଶି ନିୟମିତ ଗୋଟିଏ ସ୍ଥାନରେ କିଭଳି ବଟିକା ଖାଇବେ ତାହା ସ୍ଥିରକରି ଏହି ଘଣ୍ଟ ବଡ଼ିଆ ଅଭିଯାନ କାର୍ଯ୍ୟକ୍ରମକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ମହୁଲନଳି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିବା ବେଳେ ଆଖପାଖ ଗ୍ରାମବାସୀ ମାନେ ମଧ୍ୟ ଏହାଦ୍ୱାରା ଖୁବ୍ ପ୍ରଭାବିତ ହୋଇଛନ୍ତି।
ମହୁଲନାଳି: ରକ୍ତହୀନତା ଦୂର କରିବାରେ ଓଡ଼ିଶାର ପ୍ରଥମ ଗାଁ





