ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ପଦାପଶି ଗ୍ରାମରେ ଜମି ଜମା ବିବାଦକୁ କେନ୍ଦ୍ର କରି ବଡ଼ ଭାଇକୁ ଗଳା କାଟି ହତ୍ୟା କରିଛି ସାନ ଭାଇ।
ସୂଚନା ଅନୁସାରେ, ସ୍ଥାନୀୟ ପଦାପଶି ଗ୍ରାମର ଖଜୁରୀ କିସାନ ଓ ସାନଭାଇ ଲୋକନାଥ କିସାନ ମଧ୍ୟରେ ଦୀର୍ଘଦିନ ହେବ ଜମି ବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ଗତକାଲି ବିଳମ୍ବିତ ରାତିରେ ଖଜୁରୀ କିସାନ ନିଜ ଘରେ ଖଟରେ ଶୋଇଥିବା ବେଳେ ସାନ ଭାଇ ଲୋକନାଥ କିସାନ ଏକ ଧାରୁଆ ଟାଙ୍ଗିଆରେ ଖଜୁରୀ କିସାନର ବେକ କାଟି ହତ୍ୟା କରିଥିଲା। ପରିବାର ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଖଜୁରୀ କିସାନକୁ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ।
ଅନ୍ୟପଟେ ହତ୍ୟାକାରୀ ସାନଭାଇ ଖମାର ଥାନାରେ ଆତ୍ମସମର୍ପଣ କରିଛି। ଏ ବାବଦରେ ଖମାର ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାଯାଇଛି।