ଅନୁଗୁଳ: ସ୍ଥାୟୀ ନିଯୁକ୍ତି ଦାବିରେ ବୁଧବାର ନାଲକୋ ରେଳପଥ ଅବରୋଧ କରି ଆନ୍ଦୋଳନରେ ବସିଛନ୍ତି ଜମି ମାଲିକ। ରୋଜଗାରର ଏକ ମାତ୍ର ମାଧ୍ୟମ ଜମିକୁ ନାଲକୋ ନେଇଗଲା, ପ୍ରତିବଦଳରେ ଚାକିରି ଦେବାକୁ ଦେଇଥିଲେ ପ୍ରତିଶ୍ରୁତି। କିନ୍ତୁ ଇତି ମଧ୍ୟରେ ଦୀର୍ଘ ବର୍ଷ ବିତିଥିଲେ ବି ଚାକିରି ଦେବାର ନାଁ ଗନ୍ଧ ନାହିଁ। ଆଉ ଚାକିରି ଦାବି କଲେ ପରେ ମିଳିବ ବୋଲି କହୁଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। ଏଭଳି ଅଭିଯୋଗ କରି ନାଲକୋର ରେଳପଥରେ ଧାରଣାରେ ବସିଛନ୍ତି କ୍ଷତିଗ୍ରସ୍ତ ଜମି ଦେଇଥିବା ପରିବାର। ଏଥିସହ ନାଲକୋର କିଛି ହାତ ଗଣତି ଅଧିକାରୀ ସେମାନଙ୍କ ଉପରେ ଜୁଲମ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ସୂଚନାନୁଯାୟୀ, ସ୍ଥାନୀୟ ବିକ୍ରମପୁର ଥାନା ଅନ୍ତର୍ଗତ ଗୋବରା ଡିହ ଗାଡ଼ିଆଠାରେ ନାଲକୋ ସ୍ପୋନସର୍ଡ ଏଲ.ଏ.ପି (ଆଇ .ଟି.ଆଇ ) କ୍ଷତିଗ୍ରସ୍ତ ପ୍ରଜା ସଂଘର ୩୯ଟି ଗାଁର ଲୋକ ନାଲକୋ ରେଳପଥ ଠାରେ ସପରିବାର ଅବରୋଧ କରିଛନ୍ତି। ସେମାନଙ୍କ ମୁଖ୍ୟ ଦାବି ହେଉଛି ସ୍ଥାୟୀ ନିଯୁକ୍ତି। ତାଙ୍କ କହିବାନୁସାରେ, ଗତ ଦୀର୍ଘ ୧୪ ବର୍ଷ ହେଲାଣି ସେମାନେ ସ୍ଥାୟୀ ନିଯୁକ୍ତି ଦାବିରେ ବାରମ୍ବାର ନାଲକୋରେ ଗୁହାରି କରି ଆସୁଛନ୍ତି। କିନ୍ତୁ ନାଲକୋ ତାଙ୍କ ଦାବିକୁ କର୍ଣ୍ଣପାତ କରୁନାହିଁ।
ସଂଘ ପକ୍ଷରୁ ୨୦୧୮ ଫେବ୍ରୁଆରୀ ୨୦ ରୁ ମାର୍ଚ୍ଚ ୧୯ ଯାଏଁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦିଆଯାଇଥିଲା। ଫଳରେ ଜିଲ୍ଲାର ଜନ ପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ ନାଲକୋ ମଧ୍ୟରେ ଏକ ତ୍ରିପାକ୍ଷିକ ଆଲୋଚନା ହୋଇ ନିଯୁକ୍ତି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ପରେ ନାଲକୋ ଏହାକୁ ମାନି ନଥିଲା କି କାହାକୁ ଚାକିରି ଦେଇନଥିଲା। ସେହିପରି ନିକଟରେ ହୋଇଥିବା ନବମ ଆର.ପି.ଡି.ସି ବୈଠକରେ ମଧ୍ୟ ଉଭୟ ଢେଙ୍କାନାଳ ଓ ସମ୍ବଲପୁର ସଂସଦ ଏବଂ ଅନୁଗୁଳ ଜିଲ୍ଲାର ସମସ୍ତ ବିଧାୟକ ଓ ଜିଲ୍ଲାପାଳଙ୍କ ବୈଠକରେ ଏହି କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଦେବାକୁ ନାଲକୋ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଇତିମଧ୍ୟରେ ବର୍ଷେ ବିତିଥିଲେ ବି ନାଲକୋ ଏହାକୁ କାର୍ଯ୍ୟକାରୀ କରିନାହିଁ।
ଏଣୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ଦାବିରେ କ୍ଷତିଗ୍ରସ୍ତ ଜମିଦାତା ନାଲକୋ ରେଳପଥ ଅବରୋଧ କରିଛନ୍ତି। ଏହି ଧାରଣା ସ୍ଥାୟୀ ନିଯୁକ୍ତି ନ ମିଳିଲା ଯାଏଁ ଜାରି ରହିବ ବୋଲି ସଂଘର ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ସାମଲ କହିଛନ୍ତି।