ଅନୁଗୋଳ: ଅକ୍ଟୋବର ୮ ତାରିଖରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦକୁ ଅନୁଗୋଳ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ କୁମାର ପ୍ରଧାନ କହିଛନ୍ତି।
ରବିବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଇଣ୍ଡିଆ ମେଣ୍ଟ ପକ୍ଷରୁ ୭ ଦିନିଆ କାର୍ଯ୍ୟକ୍ରମ ଘୋଷଣା ହୋଇଛି। ଗତ ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ’ ସ୍ଲୋଗାନକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଯିବ। ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର, ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ବଅଁରପାଳ-ତାଳଚେର ରାଜରାସ୍ତା ମରାମତି ଆଦି ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି।
ବନ୍ଦ ଦିନ ରୋଗୀ, ଡାକ୍ତରଖାନା, ଆମ୍ବୁଲାନ୍ସ ଓ ପରୀକ୍ଷାର୍ଥୀଙ୍କୁ ବାଦ୍ ଦିଆଯିବ ବୋଲି ସେ କହିଛନ୍ତି। ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଉପ-ସଭାନେତ୍ରୀ ସସ୍ମିତା ବେହେରା, ସରୋଜ ପ୍ରଧାନ, ଉମେଶ ଚନ୍ଦ୍ର ସାହୁ, ଦାଶରଥି ସାହୁ, ତପନ ପ୍ରଧାନ, ଗୋପାଳ ଚନ୍ଦ୍ର ନାଥ, କେଶବ ଚନ୍ଦ୍ର ଭୂତିଆ, ବିନୋଦ ମାଝୀ, ରାକେଶ ମିଶ୍ର, ରଶ୍ମିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।












