ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ମେଡିକାଲ କଲେଜ ଓ ହସ୍ପିଟାଲ (PM PGH)ରେ ଷ୍ଟାଫ ନର୍ସ ନିଯୁକ୍ତିକୁ ନେଇ ବଡ଼ ଧରଣର ଦୁର୍ନୀତି ସାମ୍ନାକୁ ଆସିଛି। ପ୍ରାୟ ୧୦୦ ଜଣ କର୍ମଚାରୀ ଜାଲ ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ଅଭିଯୋଗ ହେବା ପରେ ଆଜି ଅନୁଗୋଳ ଓ ଏମସିଏଲର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଚଢ଼ାଉ କରିଛନ୍ତି।
ତଦନ୍ତକାରୀ ଦଳ ହସ୍ପିଟାଲର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ନିଯୁକ୍ତ ନର୍ସମାନଙ୍କ ପ୍ରମାଣପତ୍ର ଯାଞ୍ଚ ଆରମ୍ଭ କରିଛନ୍ତି। ଅଭିଯୋଗ ଅନୁଯାୟୀ, ୨୦୨୩ ଓ ୨୦୨୫-୨୬ରେ ଦୁଇଟି ଘରୋଇ ସଂସ୍ଥା ଜରିଆରେ ନିଯୁକ୍ତି ବେଳେ ମୋଟା ଅଙ୍କର ଲାଞ୍ଚ ନିଆଯାଇଥିଲା। ଏହି ପ୍ରକ୍ରିୟାରେ ଏମସିଏଲର କିଛି ଅସାଧୁ ଅଧିକାରୀ ଓ ଦଲାଲ ସାମିଲ ଥିବା ସନ୍ଦେହ କରାଯାଉଛି। ଏପରିକି ଧରାପଡ଼ିବା ଭୟରେ ବାୟୋମେଟ୍ରିକ୍ ତଥ୍ୟ ମଧ୍ୟ ଗାଏବ କରାଯାଇଥିବା ସୂଚନା ମିଳିଛି।
ଅନ୍ୟ ଜିଲ୍ଲା ପରି ଏଠାରେ ସରକାରୀ ସଂସ୍ଥା ଜରିଆରେ ନିଯୁକ୍ତି ନଦେଇ, ଝାଡ଼ଖଣ୍ଡର ଏକ ଘରୋଇ କମ୍ପାନୀକୁ ଦାୟିତ୍ୱ ଦିଆଯିବାକୁ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣା ଯୋଗୁଁ ବର୍ତ୍ତମାନ ହସ୍ପିଟାଲରେ ନର୍ସ ଅଭାବ ଦେଖାଦେଇଥିବା ବେଳେ ରୋଗୀସେବା ବ୍ୟାହତ ହୋଇଛି।











