ଚାଷୀଙ୍କ ପାଇଁ ଏଗ୍ରି-ଷ୍ଟାକ୍ ପୋର୍ଟାଲ୍‌ରେ ନାମଲେଖା ବାଧ୍ୟତାମୂଳକ; ସାର କଳାବଜାରୀ ଉପରେ ରହିବ ତହସିଲଦାରଙ୍କ ନଜର

You are currently viewing ଚାଷୀଙ୍କ ପାଇଁ ଏଗ୍ରି-ଷ୍ଟାକ୍ ପୋର୍ଟାଲ୍‌ରେ ନାମଲେଖା ବାଧ୍ୟତାମୂଳକ; ସାର କଳାବଜାରୀ ଉପରେ ରହିବ ତହସିଲଦାରଙ୍କ ନଜର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ସଦରମହକୁମାରେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ‘ଧରିତ୍ରୀ ମାତା ବଞ୍ଚାଓ ନିଗରାନି ସମିତି’ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ନ ଖରିଫ ଋତୁ ପୂର୍ବରୁ ଚାଷୀଙ୍କୁ ସାର ବଣ୍ଟନ ପାଇଁ ରଣନୀତି ପ୍ରସ୍ତୁତ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ବୈଠକରେ ତାଳଚେର କୃଷି ଜିଲ୍ଲା ଅଧିକାରୀ ଦିଲୀପ କୁମାର ମିଶ୍ର ଯୋଗଦେଇ ଏଲ୍‌ ନିନୋ ପ୍ରଭାବ ଓ ବିଶ୍ୱ ଯୁଦ୍ଧ ସ୍ଥିତି ଯୋଗୁଁ ସାର ଯୋଗାଣରେ ହେବାକୁ ଥିବା ସମସ୍ୟା ବାବଦରେ ସୂଚନା ଦେଇଥିଲେ। ଏଥିସହ ୟୁରିଆର ଅତ୍ୟଧିକ ବ୍ୟବହାର କମାଇ ପଟାସ ଓ ଫସଫରସର ସଠିକ୍ ପ୍ରୟୋଗ ପାଇଁ ଚାଷୀଙ୍କୁ ସଚେତନ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ପଞ୍ଚାୟତ ସ୍ତରୀୟ ସମିତି ଗଠନ କରାଯିବ।

ସୂଚାରୁ ସାର ବଣ୍ଟନ ପାଇଁ ଚାଷୀଙ୍କ ପରିଚୟ ପତ୍ର ଏବଂ ଏଗ୍ରି-ଷ୍ଟାକ୍ ପୋର୍ଟାଲରେ ନାମଲେଖା ବାଧ୍ୟତାମୂଳକ କରାଯାଇଛି। ତହସିଲଦାର ଆକାଂକ୍ଷା ମହାପାତ୍ରଙ୍କୁ ସାର ମହଜୁଦ ଉପରେ ନଜର ରଖିବାକୁ ଏବଂ ପ୍ରମୁଖ ସ୍ଥାନରେ ସୂଚନା ବୋର୍ଡ ଲଗାଇବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବା ବେଳେ ଆଗକୁ ଚାଷୀ ନେତା ଓ ସାର ବ୍ୟବସାୟୀଙ୍କୁ ନେଇ ଅନ୍ୟ ଏକ ପ୍ରସ୍ତୁତି ବୈଠକ ଲାଗି ପ୍ରସ୍ତାବ ଦିଆଯାଇଛି।

Share

Leave a Reply