କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ବଲପୁର ସାଂସଦ: ଜାତୀୟ ରାଜପଥ-୫୫ ର ତୁରନ୍ତ ମରାମତି ପାଇଁ ଅନୁରୋଧ

You are currently viewing କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ବଲପୁର ସାଂସଦ: ଜାତୀୟ ରାଜପଥ-୫୫ ର ତୁରନ୍ତ ମରାମତି ପାଇଁ ଅନୁରୋଧ

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଜୀବନରେଖା ଜାତୀୟ ରାଜପଥ (ଏନଏଚ୍) -୫୫ ର ଶୋଚନୀୟ ଅବସ୍ଥାକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ।

ସମ୍ବଲପୁର-ଅନୁଗୋଳ-କଟକକୁ ଯୋଡୁଥିବା ଏନଏଚ୍-୫୫ ହେଉଛି ରାଜ୍ୟର ଅନ୍ୟତମ ପ୍ରମୁଖ ପରିବହନ ଓ ଲଜିଷ୍ଟିକ୍ସ କରିଡର। ଲଗାଣ ବର୍ଷା ଓ ଅତ୍ୟଧିକ ଗାଡି ଚଳାଚଳ ଯୋଗୁଁ ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି ଏବଂ କିଛି ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଚଳାଚଳରେ ଗମ୍ଭୀର ସମସ୍ୟା ଦେଖାଦେଇଛି।

ଚିଠିରେ ସାଂସଦ ଉଲ୍ଲେଖ କରିଛନ୍ତି ଯେ, ମୌସୁମୀ ବର୍ଷା ଯୋଗୁଁ ରାସ୍ତାରେ ପାଣି ଜମି ରହୁଥିବାରୁ ଗଭୀର ଖାଲଗୁଡ଼ିକ ଚିହ୍ନଟ କରିବା କଷ୍ଟକର ହୋଇପଡୁଛି, ଯାହା ଦୁର୍ଘଟଣାର ଆଶଙ୍କାକୁ ବଢାଇ ଦେଉଛି। ପଶ୍ଚିମ ଓଡ଼ିଶାକୁ ଉପକୂଳ ସହ ଯୋଡ଼ୁଥିବା ଏହି ରାସ୍ତା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ।

ତେଣୁ ସାଧାରଣ ଜନତାଙ୍କ ସୁରକ୍ଷିତ ଓ ନିରାପଦ ଯାତାୟାତକୁ ଦୃଷ୍ଟିରେ ରଖି ସମ୍ବଲପୁରରୁ କଟକ ପର୍ଯ୍ୟନ୍ତ ଏନଏଚ୍-୫୫ ର ତୁରନ୍ତ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି।

Share

Leave a Reply