ତାଳଚେର: ତାଳଚେରରେ ଚାଲିଥିବା ଟ୍ରକ ମାଲିକ ସଂଘର ଚକା ବନ୍ଦ ଆନ୍ଦୋଳନ ଆଜି ବନ୍ଦ ହୋଇଛି। ପୋଲିସ ପ୍ରଶାସନ ପକ୍ଷରୁ ଏହାକୁ ଗୁରୁତ୍ବର ସହ ନେଇ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମନୋଜ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପ୍ଲାଣ୍ଟ କର୍ତ୍ତୃପକ୍ଷ ମାଲିକ ସଂଘ ଓ ପରିବହନକାରୀ ସଂସ୍ଥା ତ୍ରିପାକ୍ଷିକ ଆଲୋଚନା ଦୁଇ ପର୍ଯ୍ୟାୟ ହେବା ପରେ ସର୍ବ ସମ୍ମତି କ୍ରମେ ୧୧୦ କିଲୋମିଟର ଦୂରତ୍ୱ ମଧ୍ୟରେ କୋଇଲା ପରିବହନରେ ଟନ ପିଛା ୫୦ଟଙ୍କା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।ଫଳରେ ଦୀର୍ଘ ୫ ଦିନ ଧରି ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ଆଜି ରେଳ ୱାଗନରେ କୋଇଲା ପରିବହନକୁ ମଧ୍ୟ ତାଳଚେର ଟ୍ରକ ମାଲିକ ସଂଘ ପକ୍ଷରୁ ବନ୍ଦ କରି ଦିଆଯାଇଥିଲା। ଫଳରେ ଖଣି ଓ ସମଗ୍ର ତାଳଚେର ଅଞ୍ଚଳରୁ କୋଇଲା ବାହାରକୁ ଯାଇପାରିନଥିଲା।
ଅନ୍ୟପଟେ ଚକା ବନ୍ଦ ଆନ୍ଦୋଳନ ଯୋଗୁଁ ଟ୍ରକଗୁଡିକ ରାସ୍ତା କଡ଼ରେ ଠିଆ ହୋଇ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି କରିଥିଲେ।