ତେଜରାତି ଦୋକାନ ଜାଳିଦେଲେ ଦୁର୍ବୃତ୍ତ

0

ଅନୁଗୁଳ: ସଦର ଥାନା ଇଲାକା ପରତରା ଗ୍ରାମର ଏକ ତେଜରାତି ଦୋକାନକୁ କେହି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ଅଗ୍ନିକାଣ୍ଡରେ ଦୋକାନରେ ଥିବା ପ୍ରାୟ ୨ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଦୋକାନ ମାଲିକ ବିଜୟ କୁମାର ବେହେରା ଏନେଇ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୁଲିସ୍ ସୂଚନା ମୁତାବକ, ପରତରା ଗ୍ରାମର ବିଜୟ ତାଙ୍କ ଘର ସାମ୍ନାରେ ଏକ ଆଜବେଷ୍ଟସ୍ ଘରେ ଦୋକାନ କରିଥିଲେ । ମାସେ ହେଲା ସେ ବଡ଼ ଫ୍ରିଜର କିଣିବା ସହ ଏଥିରେ ଆଇସ୍କ୍ରିମ୍ ଓ ଥଣ୍ଡାପାନୀୟ ବିକ୍ରି କରୁଥିଲେ । ଦୋକାନରେ ରାସନ ସାମଗ୍ରୀକୁ ମିଶାଇ ପ୍ରାୟ ୨ ଲକ୍ଷ ଟଙ୍କାର ଜିନିଷପତ୍ର ଥିଲା । ତେବେ ୨୪ ତାରିଖ ରାତି ପ୍ରାୟ ସାଢ଼େ ୩ଟାରେ ବିଜୟ ଅନୁଗୁଳ ଦୈନିକ ବଜାରକୁ ପରିବା ବିକ୍ରି କରିବାକୁ ଆସିଥିଲେ । ଘରେ ପରିବାର ଲୋକ ଥିବା ବେଳେ ରାତି ପ୍ରାୟ ୪ଟା ବେଳେ ଘର ବାହାରେ ବୋମା ବିସ୍ଫୋରଣ ଭଳି ଭୟଙ୍କର ଶବ୍ଦ ଶୁଣିଥିଲେ । ଘରୁ ବାହାରି ଦେଖିଲା ବେଳକୁ ହୁତୁ ହୁତୁ ହୋଇ ଦୋକାନ ଘର ଜଳୁଥିଲା । ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ଦୋକାନର ପ୍ରାୟ ସମସ୍ତ ଜିନିଷ ପୋଡ଼ି ସାରିଥିଲା ।

 

Leave A Reply

Your email address will not be published.

error: Content is protected !!