ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଚାଇଁପାଳ ଓଭରବ୍ରିଜ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୧୪୯ ନଂ ଜାତୀୟ ରାଜପଥରେ ଏକ ଦ୍ରୁତଗାମୀ ଟ୍ରକ ଧକ୍କାରେ ସ୍କୁଟି ଆରୋହୀ ସାବିତ୍ରୀ ବେହେରାଙ୍କ ଜୀବନ ଯାଇଥିବାବେଳେ ତାଙ୍କ ସ୍ୱାମୀ ଭୁବନ ବେହେରା ଗୁରୁତର ଆହତ ହୋଇଛନ୍ତି। ସେମାନେ ନିଜ ଗ୍ରାମ କଂସରାରୁ କାମାକ୍ଷାନଗରରୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ରାଜପଥରେ ଦୈନନ୍ଦିନ ଦୁର୍ଘଟଣା ବୃଦ୍ଧି ପାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା ଖାଲଖମା ହେବା ସହ ଭାରୀଯାନରୁ ପଡୁଥିବା କୋଇଲା ପାଉଁଶ ଓ ମୋବିଲ ଯୋଗୁଁ ବାଇକ ଆରୋହୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ କଡ଼ା କଟକଣା ଲାଗୁ କରିବାକୁ ଦାବି ହୋଇଛି।











