ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିକୁ ଅନୁଗୁଳର ଗୋପବନ୍ଧୁ ପାର୍କରେ ସ୍ଥାପନା ନେଇ ଉପୁଜିଥିବା ବିବାଦକୁ ନେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ଓଡ଼ିଶା ପ୍ରଶାସନ ପୂର୍ବପୁରୁଷଙ୍କୁ ସମ୍ମାନ କରନ୍ତୁ କିମ୍ବା ନ କରନ୍ତୁ କିନ୍ତୁ ଅସମ୍ମାନ କରନ୍ତୁ ନାହିଁ।
ସେ କହିଛନ୍ତି ଓଡ଼ିଶାର ମହାନ ବିଭୂତିଙ୍କ ପ୍ରତିମୂର୍ତ୍ତି ସ୍ଥାପନା ବେଳେ ପ୍ରଶାସନ ଅଧିକ ସମ୍ବେଦନଶୀଳ ଓ ଯତ୍ନବାନ ହେବା ଆବଶ୍ୟକ। ଅନୁଗୁଳ ପ୍ରଶାସନ ଦ୍ୱାରା ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ବାରମ୍ବାର ବିକୃତ ପ୍ରତିମୂର୍ତ୍ତି ସ୍ଥାପନ ଲୋକଙ୍କୁ ଆଘାତ ଦେଇଛି । ପ୍ରଶାସନ ଯଥାଶୀଘ୍ର ସ୍ୱର୍ଗତ ଚୌଧୁରୀଙ୍କ ପରିବାର ଓ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବରପୁତ୍ରଙ୍କ ସଠିକ୍ ପ୍ରତିମୂର୍ତ୍ତି ନିର୍ମାଣ କରି ପୁନଃସ୍ଥାପନ କରିବା ସହ ଯଥୋଚିତ ସମ୍ମାନ ଦେବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।