ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ପଞ୍ଚାୟତର କୋଡ଼ାମୁଣ୍ଡା ଗାଁ ନିକଟସ୍ଥ ଏକ ଆମ୍ବତୋଟାରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ କୋଡ଼ାମୁଣ୍ଡା ଖଜୁରୀମୁଣ୍ଡା ସାହିର ସୁବାସ ଚନ୍ଦ୍ର ଗଡ଼ନାୟକ।
ସୂଚନା ଅନୁଯାୟୀ, ସୁବାସ ଗତକାଲି କାମରେ ଯାଉଛି ବୋଲି କହି ଘରୁ ବାହାରିଥିଲେ। ହେଲେ ଆଜି ସକାଳେ ଗ୍ରାମବାସୀ ଆମ୍ବତୋଟାରେ ତାଙ୍କ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।











