ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଲିମ୍ଫାଟିକ ଫାଇଲେରିଆ ନିରାକରଣ ପାଇଁ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଅଗଷ୍ଟ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ରହିଛି। ଏ ସଂକ୍ରାନ୍ତରେ ଏକ କର୍ମଶାଳା ବୁଧବାର ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜନ କରାଯାଇଥିଲା।
ଏହି ଅବସରରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯ୍ୟାମୀ ମିଶ୍ର
(ପରିବାର କଲ୍ୟାଣ) ଯୋଗଦେଇ କହିଥିଲେ ଯେ ଜିଲ୍ଲାରେ ଅଗଷ୍ଟ ୧୦ରୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଚାଲିବ ଓ ଏହି କାର୍ଯ୍ୟକ୍ରମ ଅଧୁନରେ ଗୋଷ୍ଠୀ ଅଂଶ ଗ୍ରହଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଲିମ୍ଫାଟିକ ଫାଇଲେରିଆ ନିରାକରଣ ଦିଗରେ ଲୋକ ପ୍ରତିନିଧି, ସରକାରୀ ଅଧିକାରୀ, ସ୍ବାସ୍ଥ୍ୟକର୍ମୀ, ଜନସମୁଦାୟ ଓ ଗଣମାଧ୍ୟମ ପ୍ରତିବଦ୍ଧତା ସହିତ ଏକ ଆନ୍ଦୋଳନରେ ପରିଣତ କରିବେ ବୋଲି ଆଶା ପ୍ରକାଶ କରିଥିଲେ ।
ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡା. ପୂର୍ଣ୍ଣିମା ଉଦ୍ଗାତା ଯୋଗ ଦେଇ କହିଥିଲେ ଲିମ୍ଫାଟିକ ଫାଇଲେରିଆ ଏକ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ଏବଂ ଏହା ମଶା କାମୁଡିବା ଦ୍ବାରା ବ୍ୟାପୁଛି । ଫାଇଲେରିଆ ଏକ ଅକ୍ଷମତା ସୃଷ୍ଟିକାରୀ ରୋଗ ଯାହାକୁ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀ, ଆଶାଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଫାଇଲେରିଆ ନିରୋଧ ଔଷଧ ସେବନ ଦ୍ବାରା ରୋକା ଯାଇପାରିବ ବୋଲି ସେ କହିଥିଲେ । ଆଇଏମଏ ଅନୁଗୁଳ ଶାଖା ଅଧ୍ୟକ୍ଷ ଡା.ବିଛନ୍ଦ ପ୍ରଧାନ ଯୋଗ ଦେଇ କହିଥିଲେ ଫାଇଲେରିଆ ନିରୋଧ ଔଷଧ ସେବନ ଦ୍ବାରା ଆମ
ଜିଲ୍ଲାକୁ ଲିମ୍ଫାଟିକ ଫାଇଲେରିଆରୁ ମୁକ୍ତ କରାଯାଇପାରିବ। ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ନିରୁପମା ଦାସ ପାୱାରପଏଣ୍ଟ ମାଧ୍ୟମରେ ଜିଲ୍ଲା ଆକସ୍ନ ପ୍ଲାନ ୨୦୨୪ ଉପସ୍ଥାପନ କରିଥିଲେ ।
ଏହି ବିଠକରେ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଧନଞ୍ଜୟ ବେହେରା, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଦିପକ କୁମାର ମହାନ୍ତି, ଜିଲ୍ଲା ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଭରତ କୁମାର ସାହୁ ଅଂଶଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଳବ୍, ଉତ୍କଳ ସେବା ସଂଘ, ବିକଳ୍ପ ବିକାଶ, ମାରୱାଡି ଯୁବ ମଞ୍ଚ,ମେଡିକୋର ପ୍ରତିନିଧି ମଧ୍ୟ ଅଂଶ ଗ୍ରହଣ କରିଥିଲେ ।















