ଅନୁଗୁଳ: ୫୯ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ସ୍ଥାନୀୟ ପୁଲିସ ଟ୍ରେନିଂ କଲେଜ ପଡିଆରେ ସୋମବାର ପାଳନ ହୋଇଯାଇଛି । ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଡା ସାର୍ଥକ ଷଢଙ୍ଗୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ପୁଲିସ ସହ ଗୃହରକ୍ଷୀ ବାହିନୀ କାନ୍ଧକୁ କନ୍ଧ ମିଶାଇ ଚାଲିଥିବାରୁ ଉତ୍ତମ କାର୍ଯ୍ୟ ପାଇଁ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି କହିଥିଲେ। କେବଳ ବାର୍ଷିକ ଉତ୍ସବରେ ନୁହେଁ ବର୍ଷରେ ସବୁବେଳେ ଯେଉଁ ଗୃହରକ୍ଷୀ ଭଲ କାମ କରିବେ ସେମାନଙ୍କୁ ସ୍ବତନ୍ତ୍ର ଭାବେ ପୁରସ୍କୃତ କରାଯିବ ବୋଲି ସେ ମଧ୍ୟ କହିଥିଲେ। ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଜଗମୋହନ ମୀନା ଗୃହରକ୍ଷୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କଦ୍ବାରା ପ୍ରେରିତ ବାର୍ତ୍ତା ପଠନ କରିଥିଲେ। ଅନୁଗୁଳ ଥାନାରେ କାର୍ଯ୍ୟ କରୁଥିବା ଗୃହରକ୍ଷୀ ପୂର୍ଣ୍ଣଚନ୍ଦ୍ର ବେହେରା ଓ ବଅଁରପାଳ ଥାନାରେ କାମ କରିଥିବା ଗୃହରକ୍ଷୀ ନିତ୍ୟାନନ୍ଦ ଗଡ଼ନାୟକଙ୍କୁ ଶ୍ରେଷ୍ଠ ଗୃହରକ୍ଷୀ ଭାବେ ମୁଖ୍ୟଅତିଥି ଶ୍ରୀ ଷଢଙ୍ଗୀ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଗୃହରକ୍ଷୀ ବାହିନୀ ଦ୍ବାରା ଅନୁଷ୍ଠିତ ପ୍ୟାରେଡକୁ ପ୍ରଭାତକୁମାର ସାହୁ ପରିଚାଳନା କରିଥିଲେ ।
୫୯ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ
- Post published:December 7, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul