ଅନୁଗୋଳ : ସହରରେ ଆସନ୍ନ ଶାରଦୀୟ ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ମହୋତ୍ସବକୁ ଶାନ୍ତି ଶୃଙ୍ଖଳା ଓ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ସୋମବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅପରାହ୍ନରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ।
ମୁଖ୍ୟ ଅତିଥି ଭାବେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ସମସ୍ତ ପୂଜା କମିଟି ଓ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। ଚଳିତ ବର୍ଷ ସହରରେ ଦୁର୍ଗା ପୂଜା ପାଇଁ ୧୦ଟି ମେଢ ଏବଂ ଲକ୍ଷ୍ମୀ ପୂଜା ପାଇଁ ୨୯ଟି ମେଢ ପ୍ରତିଷ୍ଠା କରାଯିବ। ଦୁର୍ଗା ପୂଜା ଚଳିତ ମାସ ୧୭ ତାରିଖରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ୨୨ ତାରିଖରେ ଭସାଣୀ ଉତ୍ସବ ହେବ। ସେହିପରି ଲକ୍ଷ୍ମୀ ପୂଜା ଅକ୍ଟୋବର ୨୫ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ନଭେମ୍ବର ୪ ତାରିଖରେ ଭସାଣୀ ହେବ। ତେବେ ବଳପୂର୍ବକ ଚାନ୍ଦା ଆଦାୟ ଉପରେ ରୋକ୍ ଲଗାଯାଇଛି।
ସମସ୍ତ ତୋରଣ ଭୂମିଠାରୁ ୧୮ ଫୁଟ ଉଚ୍ଚ ଓ ୧୮ ଫୁଟ ଚଉଡା ରହିବ, ଲାଇଟ୍ ଗେଟ୍ ୧୬ ଫୁଟ ଉଚ୍ଚରେ ଲଗାଯିବ। ଡାକବାଜି ଯନ୍ତ୍ରର ଅତ୍ୟଧିକ ଶବ୍ଦ ବାରଣ କରାଯାଇଛି, ଏହାର ତଦାରଖ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଛି। ପୂଜା ଓ ଭସାଣି ସମୟରେ ଆତସବାଜୀ ସମ୍ପୂର୍ଣ୍ଣ ନିଷେଧ। ମେଲୋଡି ଓ ମନୋରଞ୍ଜନ କାର୍ଯ୍ୟକ୍ରମ ରାତି ୧୧ଟା ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ହେମସୁରପଡା ଦୁର୍ଗା ପୂଜା କମିଟି ପକ୍ଷରୁ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଏହା ସହ ପ୍ରତ୍ୟେକ ମଣ୍ଡପରେ ଅଗ୍ନି ନିର୍ବାପକ ଯନ୍ତ୍ର ଓ ସିସିଟିଭି ଲଗାଇବା, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଉପଖଣ୍ଡ ପୋଲିସ ଅଧିକାରୀ ରମାକାନ୍ତ ମହାଳିକ, ପୌର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ, ଆସିଷ୍ଟାଣ୍ଟ କଲେକ୍ଟର ସୁକାନ୍ତ କୁମାର ସାହୁ, ସଞ୍ଜୟ ନାୟକ, ସେଣ୍ଟ୍ରାଲ ପୂଜା କମିଟିର ସଭାପତି ଓ ସମ୍ପାଦକ, ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।












