ଅନୁଗୋଳ: ବରିଷ୍ଠ କଂଗ୍ରେସ ନେତ୍ରୀ ଶାନ୍ତିଲତା ବେହେରାଙ୍କ ପିତା ତଥା ଅବସରପ୍ରାପ୍ତ ସେନା ଅଧିକାରୀ ମେଜର ଚୌଧୁରୀ ବେହେରାଙ୍କ (୫୯) ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ମସ୍ତିଷ୍କାଘାତରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗରେ ସମଗ୍ର କଣିହାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସ୍ୱର୍ଗତ ବେହେରାଙ୍କ ପୈତୃକ ଗ୍ରାମ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର କମରେଇ ପଞ୍ଚାୟତ ଅନ୍ତର୍ଗତ ଦଣ୍ଡସିଂହା। ତାଙ୍କ ବିୟୋଗ ଖବର ପାଇ ବିଭିନ୍ନ ରାଜନୈତିକ ଦଳର ନେତା, ଜନପ୍ରତିନିଧି ଓ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
ଅନୁଗୋଳ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ତାଳଚେର ବିଧାୟକ ତଥା ବିଜେଡିର ଜିଲ୍ଲା ସଭାପତି ବ୍ରଜକିଶୋର ପ୍ରଧାନ, ପୂର୍ବତନ ସାଂସଦ ତଥା ବିଜେଡିର ଅନୁସୂଚିତ ଜାତି ଓ ଜନଜାତି ଶାଖାର ରାଜ୍ୟ ସଭାପତି ତଥା ‘ଆଗେଇବା’ ଖବରକାଗଜର ମୁଖ୍ୟ ସମ୍ପାଦକ ମହେଶ ସାହୁ, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପାଧ୍ୟକ୍ଷା ଜୟନ୍ତୀ ପ୍ରଧାନ ପ୍ରମୁଖ ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏହା ସହ କଂଗ୍ରେସର ରାଜ୍ୟସ୍ତରୀୟ ନାରୀ ନେତ୍ରୀ ସସ୍ମିତା ବେହେରାଙ୍କ ସମେତ ବହୁ ନେତା ଏହି ଦୁଃଖଦ ସମୟରେ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି।













