୧୩ ଟ୍ରକ୍‌ରୁ ବ୍ୟାଟେରୀ ଚୋରି

You are currently viewing ୧୩ ଟ୍ରକ୍‌ରୁ ବ୍ୟାଟେରୀ ଚୋରି

ଅନୁଗୁଳ: ଅନୁଗୁଳ ସହର ଓ ଉପକଣ୍ଠରୁ ରବିବାର ବିଳମ୍ବିତ ରାତିରେ ସିରିଜ୍ ଚୋରି ହୋଇଛି । ଏକ ଲୁଟେରା ଗ୍ୟାଙ୍ଗ୍‌ ଆସି ଗୋଟିଏ କି ଦୁଇଟି ନୁହଁ, ୧୩ଟି ଟ୍ରକ୍‌ରୁ ବ୍ୟାଟେରୀ ଚୋରି କରି ନେଇଛନ୍ତି। ଏନେଇ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍ ଛାନ୍‌ଭିନ୍ ଆରମ୍ଭ କରିଛି । ଗତ କିଛି ଦିନ ହେଲା ଅନୁଗୁଳ ସହର, ନାଲ୍‌କୋ ଓ ବଅଁରପାଳ ଇଲାକାରେ ଟ୍ରକ୍‌ରୁ ଚକା ଓ ବ୍ୟାଟେରୀ ଚୋରି ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି । ବଅଁରପାଳ ଇଲାକାରେ ସ୍ଥାନୀୟ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଉଥିବା ପୁଲିସ୍ କହୁଥିବା ବେଳେ ରବିବାର ରାତିରେ ଅନୁଗୁଳ ସହର ଓ ଏହାର ଉପକଣ୍ଠରୁ ହୋଇଥିବା ଚୋରି ପଛରେ ଏକ ଗ୍ୟାଙ୍ଗ୍ କାମ କରୁଥିବା କୁହାଯାଉଛି। ଅଭିଯୋଗ ମୁତାବକ, ପିଟିସି ପଡ଼ିଆ ନିକଟରେ ରବିବାର ରାତିରେ ୩ଟି ଟ୍ରକ୍ ପାର୍କିଂ ହୋଇଥିଲା। ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ଟ୍ରକ୍‌ର କାଚ ଭାଙ୍ଗିବା ସହ ବ୍ୟାଟେରୀକୁ କାଢ଼ି ନେଇଛନ୍ତି। ସେହିପରି ତୁରଙ୍ଗ ବୁଲେଟ୍ ସୋରୁମ୍ ପାଖରେ ଥିବା ଗ୍ୟାରେଜରୁ ମଧ୍ୟ ଅନୁରୂପ ଭାବେ ଚୋରି କରିଛନ୍ତି ଦୁର୍ବୃତ୍ତ। ସେଠାରେ ଛିଡ଼ା ହୋଇଥିବା ୧୦ଟି ଟ୍ରକ୍‌ର କାଚ ଭାଙ୍ଗି ବ୍ୟାଟେରୀକୁ ଧରି ଚମ୍ପଟ ମାରିଛନ୍ତି । ଅନୁଗୁଳ ଥାନାରେ ଏନେଇ ଟ୍ରକ୍ ମାଲିକ ଅର୍ଜୁନ ପ୍ରଧାନ, ସୁପ୍ରଭା ଦାସ ଓ ଲୋକନାଥ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି।

Share

Leave a Reply