ବିଶ୍ୱକର୍ମା ପୂଜା ପାଇଁ ନାଲକୋ ନଗର ଚଳଚଞ୍ଚଳ: ୨୦ ମଣ୍ଡପରେ ପୂଜା ପାଉଛନ୍ତି ଦେବଶିଳ୍ପୀ

0

ଅନୁଗୁଳ: ଆଜି ଦେବଶିଳ୍ପୀ ତଥା ବିଶ୍ଵ ବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା। ଏ ଅବସରରେ ଶିଳ୍ପ ନଗରୀ ନାଲ୍‌କୋ ହୋଇଛି ଚଳଚଞ୍ଚଳ। ରବିବାର ଠାରୁ ଅନୁଗୁଳର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହେଉଛି। ଏଥିପାଇଁ ସମସ୍ତ ପୂଜା ମଣ୍ଡପ ଆଲୋକ ମାଳାରେ ଝଲସି ଉଠିଛି। ଆକର୍ଷଣୀୟ ତୋରଣ ସାଙ୍ଗକୁ ମନଲୋଭା ସାଜସଜ୍ଜା ଆଲୁମିନିୟମ ନଗରୀର ଶୋଭାକୁ ବେଶ୍ ଆକର୍ଷଣୀୟ କରିଛି।

୭ ଦିନ ଧରି ନାଲକୋ ନଗରରେଏହି ପୂଜା ଚାଲିବ। ଚଳିତ ବର୍ଷ ବିଭିନ୍ନ ବିଭାଗ ପକ୍ଷରୁ ୨୦ଟି ମେଢ଼ ପ୍ରସ୍ତୁତ ହୋଇଛି। ଜନ ଗହଳି ସ୍ଥାନରେ ୫ଟି ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଅପରାଧ ରୋକିବା ପାଇଁ ସ୍ଵତନ୍ତ୍ର ଭାବେ ସିସି କ୍ୟାମେରା ଖଞ୍ଜା ଯାଇଛି। ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ତତ୍ତ୍ୱବଧାନରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏସ.ଏନ ରାଇଗର ଓ ନାଲକୋ ଆଇ.ଆଇ.ସି ପ୍ରଦୀପ ମହନ୍ତଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ତଦାରଖ କରାଯାଉଛି। ଏଥରକ ସୁରକ୍ଷା ବ୍ୟବସ୍ଥାରେ ୭ ପ୍ଲାଟୁନ ଫୋର୍ସ, ୪ ଇନ୍ସପେକ୍ଟର, ୧୦ ସବ୍‌ଇନ୍ସପେକ୍ଟର, ୨୮ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର, ୯ ହେଡ୍ କନେଷ୍ଟବଳ, ୯ ଟ୍ରାଫିକ ପୋଲିସ ଅଛନ୍ତି। ଏଥି ସହ ୫୨ରୁ ଅଧିକ ସି.ଆଇ.ଏସ.ଏଫ ଓ ୧୦୦ ରୁ ଅଧିକ ନାଲକୋର ଘରୋଇ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ବିଶ୍ୱକର୍ମା ପୂଜାକୁ ନାଲ୍‌କୋବାସୀ ଗଣ ପର୍ବ ଭାବେ ପାଳନ କରନ୍ତି। ଏହି ପୂଜା ସମସ୍ତଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିଥାଏ।

Leave A Reply

Your email address will not be published.

error: Content is protected !!