ଅନୁଗୋଳ: ଅନୁଗୋଳ ଜିଲ୍ଲା ଖମାର ବଜାର ଛକ ନିକଟରେ ଟ୍ରକ ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ୧୪୯ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ମୃତ ଛାତ୍ର ହେଲେ ତାଳଚେର ସିଙ୍ଗିଡ଼ା ଗ୍ରାମର ରାହୁଲ ପ୍ରଧାନ। ସେ ଖମାର ସ୍ଥିତ ଉତ୍କଳମଣି ଗୋପବନ୍ଧୁ ସରକାରୀ ହାଇସ୍କୁଲର ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ପଢ଼ୁଥିଲେ। ଆଗକୁ ରକ୍ଷାବନ୍ଧନ ଛୁଟି ଥିବାରୁ ସେ ଘରକୁ ଯିବା ପାଇଁ ବସ୍ଷ୍ଟାଣ୍ଡ ନିକଟରେ ଅପେକ୍ଷା କରିଥିଲେ। ସେହିପରି ପାଳଲହଡ଼ା ପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା।
ଗୁରୁତର ଅବସ୍ଥାରେ ତାଙ୍କୁ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣହାନୀ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ରାଜପଥର ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ିମଟର ଅଟକି ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛି।











