ଅନୁଗୁଳରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

You are currently viewing ଅନୁଗୁଳରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

ଅନୁଗୁଳ: ଆଜି ୮୯ ତମ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଅନୁଗୁଳରେ ନିର୍ବାଚନ ଆଚରଣ ବିଧି ମୁତାବକ ପାଳିତ ହୋଇଛି। ଜିଲ୍ଲାପାଳ ଅଦାଲ୍ ଏମ୍ ଅଖର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଦିବସ ପାଳନ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ଥାନୀୟ ଗୋପବନ୍ଧୁ ପାର୍କ ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ବରପୁତ୍ରମାନଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ।

ଏ ଅବସରରେ ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରାଯାଇଥିଲା। ପରେ ଜିଲ୍ଲାପାଳ ସ୍ଥାନୀୟ ସଭାଘର ସ୍ଥିତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ ଓ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଗାନ୍ଧୀ ପାର୍କଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସହରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ, ରାଧାମୋହନ ଗଡନାୟକ, ବିଜୁ ପଟ୍ଟନାୟକ, ରାଜା ସୋମନାଥ ସିଂ ଜଗଦେବ, ଡ. ଭୀମ ରାଓ ଆମ୍ବେଦକର, ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସମେତ ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ଓ ବାଜି ରାଉତ ଛାତ୍ରାବାସ ଠାରେ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ସମାଧି ପୀଠରେ ମାଲ୍ୟାର୍ପଣ କରାଯାଇଥିଲା।

ସକାଳୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଡାକବାଜି ଯନ୍ତ୍ର ଯୋଗେ ବଜାଯାଇ ସହର ପରିକ୍ରମା କରାଯାଇଥିଲା। ଏହି ଦିବସ ପାଳନ ସମାରୋହରେ ଡେପୁଟି କଲେକ୍ଟର ଦ୍ବାହା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକ, ଓଡିଶା ମାଧ୍ୟମିକ ଶିକ୍ଷା ପରିଷର ଅବସରପ୍ରାପ୍ତ ସଭାପତି ଡ. ଧରଣୀଧର ନାଥ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡିକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା।

Share

Leave a Reply