ସାଥୀ ପରିବାର ଦ୍ୱାରା ଜଳବାୟୁ ସ୍ଥିରତା କାର୍ଯ୍ଯକ୍ରମ ଅନୁଷ୍ଠିତ

0

ଅନୁଗୁଳ: ଜଳବାୟୁ ପରିବର୍ତ୍ତନ ଓ ଅନ୍ଯାନ୍ଯ ପରିବେଶ ସମସ୍ଯା ପ୍ରସଙ୍ଗରେ ଆଜିର ଯୁବଗୋଷ୍ଠୀଙ୍କ ମନରେ ଗମ୍ଭୀରତା ଭାବନା ଓ କର୍ତ୍ତବ୍ଯନିଷ୍ଠା ଜାଗ୍ରତ କରିବା ପାଇଁ ଅନୁଗୁଳର ସାମାଜିକ ଅନୁଷ୍ଠାନ “ସାଥୀ ପରିବାର” ପକ୍ଷରୁ ଜରପଡା ସ୍ଥିତ ଜେରେଙ୍ଗ ବୁଢୀ ପାହାଡ ଠାରେ “ଯୁବ ଜଳବାୟୁ ସାକ୍ଷାତ” କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପାଧ୍ୟକ୍ଷ ଶୁଭେନ୍ଦୁ ସାହୁଙ୍କ ଅଧ୍ୟକ୍ଷତାରେ କାର୍ଯ୍ଯକ୍ରମରେ ଜାତୀୟ ଯୁବ ସମ୍ମାନ ପୁରସ୍କାରପ୍ରାପ୍ତ ସାମାଜିକ କର୍ମୀ ସୁଶାନ୍ତ ତ୍ରିପାଠୀ, ପରିବେଶପ୍ରେମୀ ବିଜୟ କୁମାର ଜେନା ବକ୍ତା ଭାବରେ ଯୋଗ ଦେଇ, ଆଜିର ଯୁବସମାଜ ଓ ପରିବର୍ତ୍ତିତ ଜଳବାୟୁ ମଧ୍ଯରେ ଯେଉଁ ସମ୍ପର୍କ ସ୍ଥାପନ ହେବା କଥା ଏବଂ ଭାରତ ବର୍ଷର ସମୃଦ୍ଧ ଜୈବ ପରିସଂସ୍ଥାକୁ ସୁରକ୍ଷିତ ରଖିବାକୁ ଯୁବଗୋଷ୍ଟୀଙ୍କ ମଧ୍ଯରେ କିଭଳି ଯୁକ୍ତାତ୍ମକ ମନୋବଳ ସଞ୍ଚାର ହୋଇପାରିବ, ସେ ସମ୍ବନ୍ଧରେ ଅଂଶଗ୍ରହଣକାରୀଙ୍କୁ ପରମାର୍ଶ ଦେଇଥିଲେ । ସରକାରୀ ସ୍ବଂୟଶାସିତ ମହାବିଦ୍ଯାଳୟ, ଅନୁଗୋଳର ଅଧ୍ଯାପକ ସୂର୍ଯ୍ଯକାନ୍ତ ସ୍ବାଇଁ ଅତିଥି ଭାବେ ଯୋଗ ଦେଇ ପରିବେଶ ପ୍ରତି ଛାତ୍ରଛାତ୍ରୀଙ୍କର ଥିବା ଦାୟିତ୍ବ ଓ କର୍ତ୍ତବ୍ଯ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସମ୍ପାଦକ ସୁବ୍ରତ କୁମାର ପ୍ରଧାନ ଜଳବାୟୁ ପରିବର୍ତ୍ତନ, ଜଳବାୟୁ ପରିବର୍ତ୍ତନର କାରଣ, ଜୀବାଷ୍ମ ଇନ୍ଧନକୁ ହ୍ରାସ କରିବାର ବିଭିନ୍ନ ଉପାୟ ଏବଂ ଦୈନଦୀନ ଜୀବନରେ ପରିବେଶ ଉପଯୋଗୀ ସରଳ ଜୀବନଯାପନ ସମ୍ବନ୍ଧରେ ଅଂଶଗ୍ରହଣକାରୀଙ୍କୁ ପରାମର୍ଶ ଦେଇଥିଲେ । ୨୦୨୨ ମସିହାରେ ୫୦୦ କିଲୋମିଟର ଜଙ୍ଗଲ ନିଆଁ ପ୍ରତିରୋଧ ସାଇକେଲ ସଚେତନତା ଯାତ୍ରା କରି ଅନୁଗୋଳ ଜିଲ୍ଲାର ୭୦ ଟି ଗ୍ରାମ ଓ ୧୫ ଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିବା ଯୁବ ପରିବେଶପ୍ରେମୀ ରାଜେଶ ରଞ୍ଜନ ସାହୁ ଓ ପିଣ୍ଟୁ ବେହେରାଙ୍କୁ ଅତିଥିଙ୍କ ଦ୍ବାରା ପ୍ରଂଶସାପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଅନୁଷ୍ଠାନର ରାଜେଶ ସାହୁ, ସମ୍ବିତ ସାହୁ, ମନସ୍ବିନୀ ସାହୁ ଏବଂ ଜେରେଙ୍ଗ ଦେହୁରୀ ସାହି ଗ୍ରାମର ଉତ୍ସାହିତ ଯୁବଗୋଷ୍ଠୀ ରଞ୍ଜିତ ଗଡନାୟକ, ଦିଲ୍ଲୀପ ପ୍ରଧାନ, କୁମୁଦ ଚନ୍ଦ୍ର ବେହେରା, ବିଷ୍ଣୁ ଚରଣ କୁଦୁଇ ଓ ଶକ୍ତିକାନ୍ତ ସାହୁ ପ୍ରମୁଖ କାର୍ଯ୍ଯକ୍ରମକୁ ସଫଳତାର ସହ ଆୟୋଜନ କରିଥିଲେ । ଉତ୍କର୍ଷ ପରିବାରର ସଦସ୍ଯ, ଅନୁଗୋଳ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟର ଏନଏସଏସର ଛାତ୍ର, ରାଉତାଳ, ନାଉପଦା, କଜଂରା, ଜରପଡା ଆଦି ଗ୍ରାମରୁ ପ୍ରାୟ ୬୦ ରୁ ଅଧିକ ଯୁବଗୋଷ୍ଠୀ କାର୍ଯ୍ଯକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

error: Content is protected !!