ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପୋଲିସକୁ ‘ଅପରେସନ ପ୍ରହାର’ ଅଭିଯାନରେ ଏକ ବଡ଼ ସଫଳତା ମିଳିଛି। ନୂଆହତା ଜାତୀୟ ରାଜପଥରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଏକ କାର୍କୁ ଜବତ କରିବା ସହ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି।
ସୂଚନା ଅନୁଯାୟୀ, ଏକ ଡିଜାୟାର କାର୍ (OR19G8618) ଯୋଗେ ପ୍ରାୟ ୩୦ କେଜି ଗଞ୍ଜେଇ ବଉଦରୁ କଟକ ଅଭିମୁଖେ ଚୋରା ଚାଲାଣ ହେଉଥିଲା। ଗାଡ଼ିଟି ନୂଆହତା ବାଇପାସ ନିକଟରେ ପହଞ୍ଚିବା ବେଳେ ହାଇୱେ ପେଟ୍ରୋଲିଂ ଟିମ୍ ସନ୍ଦେହରେ ଏହାକୁ ଯାଞ୍ଚ କରିଥିଲେ। ପୋଲିସକୁ ଦେଖି ଡ୍ରାଇଭର ଜଣକ କୌଶଳକ୍ରମେ ଫେରାର ହୋଇଯାଇଥିବା ବେଳେ ଗାଡିରେ ଥିବା ସହଯୋଗୀ ଶରତ ସିଂ (୩୨)ଙ୍କୁ ପୋଲିସ କାବୁ କରିଥିଲା। ଗିରଫ ଅଭିଯୁକ୍ତଙ୍କ ଘର ବଉଦ ଜିଲ୍ଲା ସିଂହପାଲି ଗ୍ରାମରେ ବୋଲି ଜଣାପଡ଼ିଛି।
ଏହି ଚଢ଼ାଉରେ ବଅଁରପାଳ ଥାନା ଏସ୍.ଆଇ ଅମିତ ମିଶ୍ର, ଲକ୍ଷ୍ମଣ ମାଝୀ, ଏ.ଏସ୍.ଆଇ ଜୟ କୁମାର ସାଏ ଏବଂ ଅନ୍ୟ କନେଷ୍ଟବଳମାନେ ସାମିଲ ଥିଲେ। ପୋଲିସ ଗଞ୍ଜେଇ ସହ ଗାଡ଼ିକୁ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।











