ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଅର୍କିଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦ୍ୱିତୀୟ ବିବାହକୁ ନେଇ ସୃଷ୍ଟି ହୋଇଥିବା ପାରିବାରିକ କଳହ ଶେଷରେ ରକ୍ତପାତରେ ପରିଣତ ହୋଇଛି। ବାପାଙ୍କ ଟାଙ୍ଗିଆ ଚୋଟରେ ପୁଅ ସଞ୍ଜିବ ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ପୋଲିସ ବାପା ଓ ମାଆଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ଗତ ୮ ତାରିଖରେ ଦ୍ୱିତୀୟ ବିବାହକୁ ନେଇ ସଞ୍ଜିବ ଓ ତାଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା। ଏହା ଉଗ୍ରରୂପ ନେବାରୁ ବାପା ମୁରଲୀଧର ପୁଅଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ, ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ହତ୍ୟା ପରେ ବାପା-ମାଆ ମିଶି ମୃତଦେହକୁ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିଲେ।
ସଞ୍ଜିବଙ୍କ ଦ୍ୱିତୀୟ ପତ୍ନୀଙ୍କ ଅଭିଯୋଗ କ୍ରମେ ରେଙ୍ଗାଳି ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଛି। ଏହି ଘଟଣାରେ ମାମଲା ରୁଜୁ କରାଯିବା ସହ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ସୂଚନା ଦେଇଛନ୍ତି।











