ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ାରେ ବିଜେପି ପକ୍ଷରୁ ଏକ ବିଶାଳ ମହିଳା ଆକ୍ରୋଶ ଜନ ସମାବେଶ ଅନୁଷ୍ଠିତ ହୋଇଛି। ମହିଳାଙ୍କୁ ସମାନ ଅଧିକାର, ସମ୍ମାନ ଏବଂ ରାଜନୈତିକ ସଶକ୍ତୀକରଣ ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଆଣିଥିବା ୩୩ ପ୍ରତିଶତ ସଂରକ୍ଷଣ ବିଲକୁ ବିରୋଧ କରୁଥିବା ରାଜନୈତିକ ଦଳଗୁଡ଼ିକ ବିରୋଧରେ ଏହି ସ୍ୱର ଉତ୍ତୋଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପାଳଲହଡ଼ାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସାମାଜିକ କର୍ମୀ ଏବଂ ଯୁବତୀମାନେ ଏକଜୁଟ ହୋଇଥିଲେ। ପାଳଲହଡ଼ା ବସଷ୍ଟାଣ୍ଡରୁ ଶରତ ଚନ୍ଦ୍ର କ୍ଲବ ପର୍ଯ୍ୟନ୍ତ ଏକ ବିଶାଳ ରାଲି ମାଧ୍ୟମରେ ସେମାନେ
ନିଜର ପ୍ରତିବାଦ ଜଣାଇ ସଭାସ୍ଥଳକୁ ପହଞ୍ଚିଥିଲେ।
ଏହି ସମାବେଶରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କଂଗ୍ରେସ ଓ ବିଜେଡି ଦଳକୁ କଡ଼ା ସମାଲୋଚନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ନିଜିଗଡ଼ ସମିତି ସଭ୍ୟା ଗୌରୀ ହାଇବୃ, ପବିତ୍ରପୁର ସମିତି ସଭ୍ୟା ଗୁମତି ନାୟକ, ଚଷାଗୁରୁଜାଙ୍ଗ ସମିତି ସଭ୍ୟା ପୁଷ୍ପଲତା ପ୍ରଧାନ, ନିଜିଗଡ଼ ନାୟବ ସରପଞ୍ଚ ମମତା ଓଝା ଏବଂ ରଜଡଙ୍ଗ ସରପଞ୍ଚ ଦିବ୍ୟା ଭାରତୀ ସାମଲ ଉପସ୍ଥିତ ଥିଲେ। ଏଥିସହିତ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ସୁଭଦ୍ରା ନାୟକ, ଅନୁସୂୟା ନାୟକ, ଶୈଳବାଳା ଦେବ, ଗୀତାଞ୍ଜଳି ନାୟକଙ୍କ ସମେତ ଜିଲ୍ଲା ସମ୍ପାଦକ ପ୍ରହ୍ଲାଦ ସାମଲ, ବରିଷ୍ଠ ଆଇନଜୀବୀ ତନ୍ମୟ ସାହୁ, ଲିଙ୍ଗରାଜ ଦାସ ଏବଂ ମଣ୍ଡଳ ସଭାପତି ଆଶିଷ ସାମଲ ପ୍ରମୁଖ ଯୋଗଦେଇ ମହିଳାଙ୍କ ହକ୍ ଏବଂ ସମ୍ମାନର ସୁରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ କରିଥିଲେ।











