ଅନୁଗୋଳ: ଅନୁଗୋଳ ବ୍ଲକ ମାଣିକଯୋଡି ପଞ୍ଚାୟତର କନ୍ଧକୋଇଲି ଓ ସିଟିକୋଇଲି ଗ୍ରାମକୁ ସଂଯୋଗ କରୁଥିବା ମାଣିକଯୋଡି-ଲେମ୍ବୁତଇଳା ରାସ୍ତାର ସ୍ଥାୟୀ ନିର୍ମାଣ ଦାବିରେ ଗ୍ରାମବାସୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଡାକଯୋଗେ ଦାବିପତ୍ର ପଠାଇଛନ୍ତି। ଦାବି ପୂରଣ ନ ହେଲେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏଥିସହିତ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ସୂଚନାଯୋଗ୍ୟ, ଗତ ୧୦ ବର୍ଷ ଧରି ଏହି ଦାବି ହୋଇଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ରାସ୍ତା ଜଙ୍ଗଲ ବିଭାଗ ଅଧୀନରେ ଥିବାରୁ ସ୍ୱଳ୍ପ ଅନୁଦାନରେ କାମ ହୋଇପାରୁନାହିଁ। ଉଭୟ ରାଜସ୍ୱ ଗ୍ରାମରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ପରିବାର ରହୁଛନ୍ତି। ଲଗାଣ ବର୍ଷାରେ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ବିଦ୍ୟାଳୟ, ହାଟ ବଜାର ଓ ଡାକ୍ତରଖାନା ଯିବା କଷ୍ଟକର ହୋଇପଡ଼ିଛି। ଆଜିର ପ୍ରତିନିଧି ଦଳରେ ଗ୍ରାମ ସଭାପତି ସୁରେଶ ଷଣ୍ଢ, ସମ୍ପାଦକ ବିଜୟ ଦେହୁରୀ, ଗୁବୁରି ମହାକୁଡ, କ୍ଷୀରୋଦ ଦେହୁରୀ, ଅକ୍ଷୟ ଦେହୁରୀ, ଅଶ୍ୱସ୍ତମା ପ୍ରଧାନ, ପ୍ରସନ୍ନ ପ୍ରଧାନ, ଲିପୁନ ଦୀପ, ହାଡିବନ୍ଧୁ ପ୍ରଧାନ, କାର୍ତ୍ତିକ ପ୍ରଧାନ, ଦୁଷ୍ମନ୍ତ ପ୍ରଧାନ, ଚନ୍ଦନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।












