ଅନୁଗୁଳ: ଏକ ହତ୍ୟାକାଣ୍ଡର ହତ୍ୟାକାରୀ ଦୁଇ ଭାଇଙ୍କୁ ଶୁକ୍ରବାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନା ମୁତାବକ, ଗତ ୪. ୧୧. ୨୦୨୦ ଦିନ ସନ୍ଧ୍ୟା ୭ଟା ୩୦ରେ ଅନୁଗୁଳ ଥାନା ଅନ୍ତର୍ଗତ ରନ୍ତଲେଇ ଗ୍ରାମର ଦୁଷ୍ମନ୍ତ ସେନାପତିଙ୍କ ପାଖକୁ ଏକ ଫୋନ ଆସିଥିଲା। ସେପଟୁ ଜଣେ କହିଥିଲେ ତୁମ ଭାଇ ଦୁଃଶାସନ ସେନାପତିଙ୍କୁ ହାଣି ପକାଇଛନ୍ତି। ଖବର ପାଇ କ୍ଷଣି ଦୁଷ୍ମନ୍ତ ସେନାପତି ଏବଂ ତାଙ୍କର ଦୁଇ ପୁତୁରା ମିଶି ମୂଷାପାପୁଲି ଡ୍ୟାମ ପାଖକୁ ଆସିଥିଲେ। ସେମାନେ ଡ୍ୟାମ ପାଖରେ ପହଞ୍ଚିବା ବେଳକୁ ପଛପଟୁ ଏକ ବାଇକରେ ରନ୍ତଲେଇ ଗ୍ରାମର ସନ୍ତୋଷ ସେନାପତି ଏବଂ ତାର ଭାଇ ସୁଜନ ସେନାପତି ଆସି ପ୍ରଥମେ ଦୁଷ୍ମନ୍ତ ସେନାପତିଙ୍କୁ ଗୁଳି ମାରିଥିଲେ। ସେ ସେଠାରେ ପଡ଼ିଯିବାରୁ ସନ୍ତୋଷ ଓ ସୁଜନ ମିଶି ଖଣ୍ଡାରେ ଦୁଷ୍ମନ୍ତଙ୍କୁ ହାଣି ସେଠାରୁ ଫେରାର ହୋଇଯାଇଥିଲେ ବୋଲି ଦୁଷ୍ମନ୍ତଙ୍କ ପୁତୁରା ରାକେଶ ସେନାପତି ଅନୁଗୁଳ ଥାନାରେ ଏତଲା ଦେଇଥିଲେ।
ଏତଲା ଆଧାରରେ ପୁଲିସ ଦଫା ୩୦୨/୧୨୦(ବି)/୩୪ ଏବଂ ଆର୍ମ ଆକ୍ଟରେ ମାମଲା ରୁଜୁ କରି ହତ୍ୟାକାରୀ ଦୁଇ ଭାଇ ସୁଜନ ସେନାପତି ଏବଂ ସନ୍ତୋଷ ସେନାପତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ।
ଶୁକ୍ରବାର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ରଂଜିତା ଜ୍ୟୋତିଶି ଏହି କେସର ଶୁଣାଣି କରି ଅଭିଯୁକ୍ତ ଦୁଇ ଭାଇ ସୁଜନ ଓ ସନ୍ତୋଷକୁ ୩୬ଜଣ ସାକ୍ଷୀ ପ୍ରମାଣକୁ ଆଧାର କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୨୫ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ଡ ଶୁଣାଣି କରିଛନ୍ତି। ଆଡିସନାଲ ପିପି ତାପସ ରଞ୍ଜନ ମିଶ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ।