ଅନୁଗୁଳ: ଡିନାମାଇଟ୍ ଫୁଟାଇ ମାଛ ମାରିବା କାଳ ହେଲା । ଡିନାମାଇଟ୍ ହାତରେ ଫୁଟିବାରୁ ଉଡ଼ି ଗଲା ଯୁବକଙ୍କ ପାପୁଲି । ମୁହଁରେ ଗଭୀର ଆଘାତ ଲାଗିବା ସହ ଡାହାଣ ଆଖି ନଷ୍ଟ ହୋଇଯାଇଛି । ଛେଣ୍ଡିପଦା ବ୍ଳକ କମ୍ପସଲା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଯୁବକ ହେଲେ, କମ୍ପସଲା ଗ୍ରାମର ପତି ସାହୁଙ୍କ ପୁଅ ପିପୁ ନ୍ (୨୨) । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ପ୍ରାପ୍ତ ସୂଚନା ମୁତାବକ, ଶୁକ୍ରବାର ମଧ୍ୟାହ୍ନରେ ପିପୁନ୍ ୪ ଜଣ ସାଙ୍ଗଙ୍କ ସହ ଡିନାମାଇଟ୍ ସହାୟତାରେ ମାଛ ମାରିବା ପାଇଁ ନିକଟସ୍ଥ ଟିକିରା ନାଳକୁ ଯାଇଥିଲେ । ସେଠାରେ ମାଛ ମାରିବା ଲାଗି ଡିନାମାଇଟ୍ ଖଞ୍ଜିବାକୁ ପ୍ରସ୍ତୁତି ଚାଲିଥିଲା । ତେବେ ଡିନାମାଇଟ୍ ଧରି ନଦୀ ଭିତରକୁ ପ୍ରବେଶ କରିବା ବେଳେ ହାତରେ ବିସ୍ଫୋରଣ ଘଟିଥିଲା । ଭୟଙ୍କର ବିସ୍ଫୋରଣରେ ପିପୁନଙ୍କ ଡାହାଣ ହାତ ପାପୁଲି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ।ମୁହଁ ଓ ଛାତିରେ ଗଭୀର କ୍ଷତ ହୋଇଥିବା ବେଳେ ଗୋଟିଏ ଆଖି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ଛେଣ୍ଡିପଦା ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।
ଡିନାମାଇଟ୍ ଫୁଟାଇ ମାଛ ମାରିବା ମହଙ୍ଗା ପଡ଼ିଲା
- Post published:March 13, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal
