ଅନୁଗୁଳ: ଆଠମଲ୍ଲିକ ଜଙ୍ଗଲ ବିଭାଗ କର୍ମଚାରୀ ୪ ଜଣ ଶିକାରୀଙ୍କୁ ଗିରଫ କରିଛି। ଜଙ୍ଗଲରେ ନିଆଁ ଲଗାଇ ଶିକାର ଉଦ୍ଦେଶ୍ୟରେ ବୁଲୁଥିବା ବେଳେ ବନ ବିଭାଗ ହାବୁଡ଼ରେ ପଡ଼ିଥିଲେ । ସେମାନଙ୍କଠାରୁ ଏକ ବନ୍ଧୁକ ଜବତ କରାଯାଇଛି । ଆଠମଲ୍ଲିକ ରେଞ୍ଜର କୈଳାଶ ଚନ୍ଦ୍ର ସାହୁଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ପ୍ରାୟ ସାଢ଼େ ୫ଟା ବେଳେ ଅଏଡ଼ା ପଞ୍ଚାୟତ ତେଲକୋଇ ମୌଜାର ଦେବେନ୍ଦ୍ର ଗଡ଼ତିଆ, ମାନସ ଗଡ଼ତିଆ, ନବୀନ ଦେହୁରୀ ଓ ରଙ୍ଗପୁର ଗ୍ରାମର ପବିତ୍ର ନାଏକ ହାତୀଧରା ସଂରକ୍ଷିତ ଜଙ୍ଗଲ କଦଳୀଖୋଲ କମ୍ପାର୍ଟମେଣ୍ଟ ୪ରେ ପର୍ବତ ଶିଖରରେ ନିଆଁ ଲଗାଇ ଦେଇଥିଲେ । ପାଦଦେଶରେ ବନ୍ଧୁକ ଧରି ବନ୍ୟଜନ୍ତୁ ଶିକାର ପାଇଁ ଜଗି ରହିଥିଲା ବେଳେ ପାଟ୍ରୋଲିଂ କରୁଥିବା ଫରେଷ୍ଟର ଗୌରଚନ୍ଦ୍ର ଦନ୍ତା, ଗାର୍ଡ଼ ଆଲୋକ ମିଶ୍ର, ଗୌରୀ ବେହେରା, ରଞ୍ଜିତ ସାହୁ, ଜଗୁଆଳି ଦିବାକର ପାତ୍ରଙ୍କ ହାବୁଡ଼ରେ ପଡ଼ି ଥିଲେ । ସେମାନଙ୍କ ନିକଟରୁ ଏକ ବନ୍ଧୁକ, ଟାଙ୍ଗିଆ, ଦିଆସିଲି, ୨ଟି ହେଡ଼ ଲାଇଟ ଜବତ କରାଯାଇଛି । ସଂପୃକ୍ତ ଅଭିଯୁକ୍ତମାନଙ୍କୁ
କୋର୍ଟ ଚାଲାଣ କରାଯାଇଛି ।
ଜଙ୍ଗଲରେ ନିଆଁ ଲଗାଇ ବନ୍ୟପ୍ରାଣୀ ଶିକାର ଅଭିଯୋଗ ୪ ଶିକାରୀ ଗିରଫ, ବନ୍ଧୁକ ଜବତ
