ମଇଦାନକୁ ଓହ୍ଲାଇଲା ବିଜେପି: ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୁଡାନ୍ତ

0

ଅନୁଗୁଳ: ଆଜି ଭାରତୀୟ ଜନତା ପାର୍ଟିର ମହା ସଚିବ ଅରୁଣ ସିଂହଙ୍କ ଦସ୍ତଖତରେ ଓଡ଼ିଶାର ୧୧୨ ଟି ବିଧାନ ସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶିତ ହୋଇଛି। ଅନୁଗୁଳ ଜିଲ୍ଲାରୁ ଅନୁଗୁଳ ଆସନ ପାଇଁ ପ୍ରତାପ ଚନ୍ଦ୍ର ପ୍ରଧାନ,ଆଠମଲ୍ଲିକ ପାଇଁ ସଞ୍ଜୀବ ସାହୁ,ଛେଣ୍ଡିପଦା ପାଇଁ ଅଗସ୍ତି ବେହେରା,ତାଳଚେର ପାଇଁ କାଳନ୍ଦୀ ସାମଲ ଏବଂ ପାଲଲହଡ଼ା ପାଇଁ ଅଶୋକ ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିଛି। ଗତ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରଜନୀକାନ୍ତ ସିଂହ ବିଜେପି ପ୍ରାର୍ଥୀ ପ୍ରତାପ ପ୍ରଧାନଙ୍କ ଠାରୁ ମାତ୍ର ୮ ହଜାରରୁ କିଛି ଅଧିକା ଭୋଟ ପାଇ ବିଜୟ ଲାଭ କରିଥିଲେ। ତେଣୁ ଏଥର ପ୍ରାର୍ଥୀ ବିଜେଡିର ଯିଏ ହେଉନା କାହିଁକି ପ୍ରତାପଙ୍କ ଆକ୍ରମଣ ଅଧିକ ଧାର ହେବ ବୋଲି ଆଶା କରାଯାଉଛି। ଆଠମଲ୍ଲିକରେ ଗତ ନିର୍ବାଚନରେ ରମେଶ ସାଏ ବିଜେପିର ଭାଗିରଥି ପ୍ରଧାନଙ୍କୁ ବହୁ ଭୋଟରେ ପରାଜିତ କରିଥିଲେ। ସାଏ ୫୩ ପ୍ରତିଶତ ଭୋଟବପାଇଥିବା ବେଳେ ଭାଗିରଥି ୩୯ ପ୍ରତିଶତ ଭୋଟ ପାଇଥିଲେ। ଏଥର ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ୨୦୦୯,୨୦୧୪ ନିର୍ବାଚନର ବିଜେତା ବିଜେଡି ଛାଡି ବିଜେପିରୁ ଲଢ଼ିବେ। ସଞ୍ଜୀବ ମଧ୍ୟ ଏଥର ନିଜ ଅଭିଜ୍ଞତାକୁ ଆଧାର କରି ଲଢେଇକୁ ଜୋରଦାର କରିବେ ବୋଲି ସୂଚନା ମିଳୁଛି। ଛେଣ୍ଡିପଦାରେ ଅଗସ୍ତି ବେହେରା ନିଜ ନିକଟତମ ପ୍ରତିଦ୍ବନ୍ଦୀ ସୁଶାନ୍ତ ବେହେରାଙ୍କ ଠାରୁ ମାତ୍ର ୬ ହଜାରରୁ କିଛି ଅଧିକ ଭୋଟରେ ହାରି ଯାଇଥିଲେ। ଚଳିତ ନିର୍ବାଚନରେ ଧର୍ମେନ୍ଦ୍ର ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଲଢ଼ିବାକୁ ଥିବାରୁ ଅଗସ୍ତି ଏଥର ନୂଆ ରଣ କୌଶଳ ସହ ମଇଦାନକୁ ଓହ୍ଲାଇବେ ଏବଂ ବିଜୟୀ ହେବେ ବୋଲି ତାଙ୍କର ସମର୍ଥକ ମାନେ ପ୍ରଚାର କରୁଛନ୍ତି। ତାଳଚେରରେ ବ୍ରଜକିଶୋର ପ୍ରଧାନ ଓରଫ ବାପୁ ଗତ ତିନୋଟି ନିର୍ବାଚନରୁ ଦୁଇ ଥର ଶଙ୍ଖ ଚିହ୍ନ
ଓ ଗୋଟିଏ ଥର ସ୍ଵାଧୀନ ଭାବେ ଲଢି ଜିତିଛନ୍ତି। ତାଳଚେରରେ ବ୍ରଜଙ୍କ ଲୋକ ସମ୍ପର୍କ,ଅର୍ଥବଳ ଯାହା ଅଛି ସେଠାରେ ଚଳିତ ଥର ପୁଣି ତାଙ୍କ ବିପକ୍ଷରେ ଲଢ଼ିବେ କାଳନ୍ଦୀ ସାମଲ। କିନ୍ତୁ ଲୋକ ମତ ଯାହା କାଳନ୍ଦୀ ଏବେ ତୁଳନାତ୍ମକ ଭାବେ ବ୍ୟାକ ଫୁଟରେ ଅଛନ୍ତି ସମୟ କହିବ କାଳନ୍ଦୀ
କିଭଳି କଳା କୌଶଳ ପ୍ରଦର୍ଶନ କରିବେ। ପାଲଲହଡ଼ାରେ ଗତଥର ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତି ପ୍ରାୟ ୬ ହଜାର ଭୋଟରେ ବିଜେଡି ପ୍ରାର୍ଥୀ ମୁକେଶ ପାଲଙ୍କ ଠାରୁ ହାରି ଥିଲେ। ତେବେ ଚଳିତ ଥର ଅଶୋକ ମହାନ୍ତି ପୁଣି ଟିକେଟ ପାଇଛନ୍ତି ଏବଂ ସେ ଆସନ୍ତା ନିର୍ବାଚନରେ ଚକମା ଦେଖାଇବେ ବୋଲି ତାଙ୍କ ସମର୍ଥକ ମାନେ କହୁଛନ୍ତି। ଦେଖାଯାଉ ଆସନ୍ତା ନିର୍ବାଚନରେ ବିଜେପି କିଭଳି ରଣନୀତି ସହ ମଇଦାନକୁ ଓହ୍ଲାଉଛି।

Leave A Reply

Your email address will not be published.

error: Content is protected !!