ପୌର ଅଧିକାରୀଙ୍କ କାର୍ଯ୍ୟକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

You are currently viewing ପୌର ଅଧିକାରୀଙ୍କ କାର୍ଯ୍ୟକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଅନୁଗୁଳ: ଅନୁଗୁଳ ପୌର ପରିଷଦର ନିର୍ବାହୀ ନିର୍ଦ୍ଦେଶକଙ୍କ କାର୍ଯ୍ୟକଳାପକୁ ନେଇ ଗୁରୁବାର ଅନୁଗୁଳ ନଗର କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ନଗର କଂଗ୍ରେସ ସଭାପତି ସୁଦିପ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ଯେ, ସୋସିଆଲ ମିଡ଼ିଆରେ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ପୋଷ୍ଟ କରିଥିବା ଯୁବ ସାମ୍ବାଦିକଙ୍କ ଉପରେ ପୌର ନିର୍ବାହୀ ଅଧିକାରୀ ଆକ୍ରୋଶ ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମ୍ବାଦିକଙ୍କ କଣ୍ଠରୋଧ ପାଇଁ ନିର୍ବାହୀ ଅଧିକାରୀ ଗୁଣ୍ଡାଗିରି କରୁଛନ୍ତି। ଏହାକୁ ନଗର କଂଗ୍ରେସ ଦୃଢ ନିନ୍ଦା କରିଛି। ଜିଲ୍ଲାର ବିଭିନ୍ନ ପ୍ରସଙ୍ଗକୁ ସମାଧାନ କରିବା ବଦଳରେ ଆକ୍ରୋଶ ଭାବରେ ସମ୍ବାଦିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କ ସ୍ୱର ଦବେଇ ଦବା ପାଇଁ ଉଦ୍ୟମକୁ ଜିଲ୍ଲାପ୍ରଶାସନ ବନ୍ଦ କରନ୍ତୁ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି। ପୌର ପ୍ରଶାସନ ସହରର ଅଳିଆ ଆବର୍ଜନାକୁ ସଫା କରିବା, ଡେଙ୍ଗୁ ମୁକାବିଲା ପାଇଁ ଲୋକଙ୍କୁ ସଚେତନ କରିବା, ମଶା ଦାଉରୁ ରକ୍ଷା କରିବା ପାଇଁ ମଶା ତେଲ ଛିଞ୍ଚିବା ଆଦି ମୁଖ୍ୟ କାମ। ପୌର ପରିଷଦରେ ଏବେ ଲୋକ ପ୍ରତିନିଧି ନାହାନ୍ତି, ତେଣୁ ରାସ୍ତାଘାଟ, ନାଳନର୍ଦ୍ଦମା ସଫା ଅଛି କି ନାହିଁ, ରାତିରେ ସହରରେ ଆଲୋକ ବ୍ୟବସ୍ଥା ଅଛିକି ନାହିଁ ଦେଖିବା କଥା। କିନ୍ତୁ ଏହା ଫେଲ ମାରିଛି ବୋଲି ଅଭିଯୋଗ ହୋଇଛି। ଆସନ୍ତା ୭ ଦିନ ମଧ୍ୟରେ ପୌର ନିର୍ବାହୀ ଅଧିକାରୀ ସହରବାସୀଙ୍କୁ କ୍ଷମା ମାଗନ୍ତୁ। ନିଚେତ ଅନୁଗୁଳ ନଗର କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ତରଫରୁ ପୌର ନିର୍ବାହୀ ଅଧିକାରୀଙ୍କୁ କାଳିମାଡ କରିବା ସହିତ ପୌରପାଳିକା କାର୍ଯ୍ୟଳୟକୁ ଧସେଇ ପଶିବ, ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ କରିବ, ଦରକାର ପଡ଼ିଲେ ଅନୁଗୁଳ ସହର ବନ୍ଦ ଡାକରା ଦେବା ସହିତ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦିଆଯାଇଛି। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ରାକେଶ ମିଶ୍ର, ରଶ୍ମୀ ରଞ୍ଜନ ସାହୁ, କାଶିଦା ଖାନ, ସୌମ୍ୟ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply