ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଲୋଭୀ ଠାକୁରାଣୀଙ୍କ ମନ୍ଦିରର ସର୍ବାଙ୍ଗିନ ଉନ୍ନତି ନେଇ ଖୁସି ଖବର। ମନ୍ଦିରର ବିକାଶ ଓ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ କୋଟି ୨୬ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।
ଏନେଇ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଗଡ଼ସନ୍ତ୍ରୀ ଗ୍ରାମକୁ ଆସି ମନ୍ଦିର ପରିଦର୍ଶନ କରିଥିଲେ। ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଏହି ଅର୍ଥରାଶି ମଞ୍ଜୁର ହୋଇଥିବା ଜଣାପଡ଼ିଛି। ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ହେଲେ ଭକ୍ତମାନଙ୍କ ପାଇଁ ସୁବିଧା ହେବା ସହ ପର୍ଯ୍ୟଟନର ବିକାଶ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ମୀରା ଗଡ଼ନାୟକ, ସମାଜସେବୀ ସରୋଜ ସାହୁ, ସୁନୀଲ ମାଝୀ, ଭଜମନ ମହାନ୍ତି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।











