ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ଓ ଚାପଖେଳ ଶେଷ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ଏହି ୨୧ ଦିନିଆ ଯାତ୍ରା ଉଦଯାପିତ ହୋଇଯାଇଛି।
ଏହି ଅବସରରେ ତାଳଚେରର ଇଷ୍ଟଦେବ ମଦନମୋହନ ଓ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିଙ୍କୁ ଏକ ସୁସଜ୍ଜିତ ବିମାନରେ ବସାଇ ବିରାଟ ପଟ୍ଟୁଆରରେ ବ୍ରାହ୍ମଣୀ ନଦୀ କୂଳକୁ ନିଆଯାଇଥିଲା। ସେଠାରେ ରଙ୍ଗିନ ଆଲୋକରେ ସଜ୍ଜିତ ନୌକାରେ ପ୍ରଭୁଙ୍କ ଚାପଖେଳ ଅନୁଷ୍ଠିତ ହୋଇଥିଲା। ନଦୀ ପଠା ଶହ ଶହ ଭକ୍ତଙ୍କ ହରିବୋଲ ଓ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଥିଲା।
ଉଦଯାପନୀ ସନ୍ଧ୍ୟାରେ ମହାପ୍ରଭୁଙ୍କ ନିକଟରେ ଚନ୍ଦନ ଲାଗି ସହ ସ୍ୱତନ୍ତ୍ର ପ୍ରସାଦ ଅର୍ପଣ କରାଯାଇଥିଲା। ଏହାପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ରାଜପୁରୋହିତ ଓ ମନ୍ଦିର ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ଠାକୁରଙ୍କୁ ପୁନର୍ବାର ମନ୍ଦିରକୁ ଅଣାଯାଇଥିଲା। ଶେଷରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।











