ଅନୁଗୋଳ: ଜାତୀୟ ରାଜପଥ ୧୪୯ର ଶୋଚନୀୟ ଅବସ୍ଥା ପ୍ରତିବାଦରେ ଆଜି ସକାଳେ ତାଳଚେର ଥର୍ମାଲ ନନ୍ଦିନୀ ବ୍ରିଜ ନିକଟରେ ରାସ୍ତାରେ ବସି ଅର୍ଥନୈତିକ ଅବରୋଧ କଲେ ପୂର୍ବତନ ସାଂସଦ ମହେଶ ସାହୁ। ୩ ଘଣ୍ଟା ଧରି ଚାଲିଥିବା ଏହି ପ୍ରତୀକାତ୍ମକ ଅବରୋଧରେ ଶହ ଶହ ଟ୍ରକ୍ ଅଟକି ରହିଥିଲା। ଗତ ୫-୬ ମାସରେ ଏହି ରାସ୍ତାରେ ୯-୧୦ ଜଣଙ୍କ ପ୍ରାଣହାନି ଘଟିଥିବା ଅଭିଯୋଗ କରି ଶ୍ରୀ ସାହୁ କହିଛନ୍ତି, ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ। ଦାବି ମଧ୍ୟରେ ରହିଛି – ମୃତକ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ, ଗୋରୁ ମୃତ୍ୟୁରେ ମନ୍ଦିର କମିଟିକୁ ୫ ଲକ୍ଷ, ନନ୍ଦିନୀ ପୋଲକୁ ବିପଦମୁକ୍ତ ଘୋଷଣା ଓ ମରାମତି ଯାଏ ଭାରୀଯାନ ନିଷେଧ।
ଆଗାମୀ ୩୦ ତାରିଖରେ ବାଙ୍କଧରା ଛକରେ ଟ୍ରେନରେ କୋଇଲା ପରିବହନ ବନ୍ଦ କରିବାକୁ ସେ ଚେତାବନୀ ଦେଇଛନ୍ତି। ମହେଶ ସାହୁଙ୍କ ନେତୃତ୍ୱରେ ଚାଲିଥିବା ଅର୍ଥନୈତିକ ଅବରୋଧ ଆନ୍ଦୋଳନରେ ଗାନ୍ଧୀ ବିଚାର ମଞ୍ଚ , ଜିଲ୍ଲା ପରିଷଦ ସଦସ୍ୟା ରିତା ରାଣୀ ଦାସ, ବିନୋଦ ଲାଲ, ବାବୁଲା ଶତପଥୀ, ଲିପୁ ରଥ, କଳାକାର ସିଂ, କାଳିଆ ସାମଲ, କୁଶ ବିହାରୀ ସାମଲ ପ୍ରମୁଖଙ୍କ ସମେତ ବିଜେଡି କର୍ମୀଙ୍କ ସମେତ ଗାନ୍ଧୀ ବିଚାର ମଞ୍ଚର ସଦସ୍ୟ ସାମିଲ ଥିଲେ। ପ୍ରଶାସନ ପକ୍ଷରୁ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ପୂର୍ବତନ ସାଂସଦ ଶ୍ରୀ ସାହୁ ସୂଚନା ଦେଇଛନ୍ତି।












