ଅନୁଗୋଳ: ବାଜି ରାଉତ୍ ଛାତ୍ରାବାସ, ଅନୁଗୋଳ ପରିସରରେ ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀ ଆୟୋଜିତ ହୋଇଯାଇଛି। ଏ ଅବସରରେ ସକାଳ ବେଳା ପ୍ରାର୍ଥନା, ସାମୂହିକ ସଫେଇ ପରେ ନବମାଳତି ସ୍ମୃତି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ବସକାଳ ୧୦ ଘଟିକା ସମୟରେ ଏକ ଗୋଷ୍ଠିଗତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଗଣତନ୍ତ୍ରରେ ଗଣମାଧ୍ୟମ ଓ ସାମ୍ବାଦିକଙ୍କ ଭୂମିକା ଉପରେ ଆୟୋଜିତ ଏହି ଆଲୋଚନାଚକ୍ରକୁ ବିଶିଷ୍ଟ ସାମ୍ବାଦିକ ଡ଼ା ସତ୍ୟ ରାୟ ଉଦ୍ଘାଟନ କରିଥିଲେ। ଗଣତନ୍ତ୍ରକୁ ମଜଭୁତ କରିବା ପାଇଁ ଗଣମାଧ୍ୟମର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସାମ୍ବାଦିକ ମାନେ ସ୍ୱଚ୍ଛତା ଓ ନିରପେକ୍ଷତାର ସହ ଏହି ଦାୟିତ୍ୱ ତୁଲାଇ ପାରିଲେ ଗଣତନ୍ତ୍ର ସୁରକ୍ଷିତ ରହିପାରିବ ବୋଲି ଶ୍ରୀ ରାୟ କହିଥିଲେ। ସମାରୋହରେ ମୁଖ୍ୟବକ୍ତା ରୂପେ ଆଇ.ଆଇ ଏମ୍.ସିର ପ୍ରାକ୍ତନ ମୁଖ୍ୟ ଡ଼ା ମୃଣାଳ ଚାଟାର୍ଜୀ ଯୋଗ ଦେଇ ସମ୍ପ୍ରତି ସାମାଜିକ ଗଣମାଧ୍ୟମ ମୁଖ୍ୟ ସ୍ରୋତ ଗଣମାଧ୍ୟମକୁ ଏଭଳି ପ୍ରଭାବିତ କରୁଛି ଯାହା ଫଳରେ ଲୋକେ ହଠାତ୍ କୌଣସି ଖବରକୁ ବିଶ୍ୱାସକୁ ନେଉ ନାହାନ୍ତି ବୋଲି କହିଥିଲେ । କିଛି ଦାୟିତ୍ୱହୀନ ସାମାଜିକ ଗଣମାଧ୍ୟମଏବଂ ସେମାନଙ୍କ ଧ୍ରୁବିକରଣ ଆଜି ମଣିଷ ସମାଜ ପାଇଁ ବିପଦ ସୃଷ୍ଟି କରିଛି। ସେହିଭଳି ଏଆଇ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ରୂପେ ଗଣମାଧ୍ୟମକୁ ପ୍ରଭାବିତ କରିବାର ସମୟ ଆସିଛି। ଗଣମାଧ୍ୟମକୁ ସମାଜର ଜାଗ୍ରତ ପ୍ରହରୀ ହେବାକୁ ହେଲେ ଏହାକୁ ଅଧିକ ଦାୟିତ୍ୱବାନ ଏବଂ ସ୍ୱଚ୍ଛ ହେବାକୁ ପଡ଼ିବ ବୋଲି ଡ଼ା ଚାଟାର୍ଜୀ ମତ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ଅନିଲ ପ୍ରଧାନ, ଅଜିତ୍ କୁମାର ଧର, ବିଶ୍ବରଂଜନ ପଟ୍ଟନାୟକ ଏବଂ ପର୍ଶୁରାମ ଦାଶ ଯୋଗଦେଇ ପୁଞ୍ଜିପତି ଏବଂ ବ୍ୟକ୍ତିଗତ ମାଲିକାନାରେ ଚାଲୁଥିବା ଖବର କାଗଜ ଏବଂ ଇଲେକ୍ଟ୍ରୋନିକ ମିଡିଆ ତାର ନିରପେକ୍ଷତା ହରାଉ ଥିବାରୁ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି କହିଥିଲେ। ତେଣୁ ସାମ୍ବାଦିକ ମାନେ ଖବର ପରିବେଷଣ ବେଳେ ଅଧିକ ସତର୍କ ଓ ଦାୟିତ୍ୱବାନ ହେବାକୁ ସମୟ ଆସିଛି ବୋଲି ମତ ପ୍ରକାଶ ପାଇଥିଲା। ଛାତ୍ରାବାସର ସଭାପତି ଅନ୍ତର୍ଯ୍ୟାମୀ ବରାଳଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆଲୋଚନାଚକ୍ରରେ ସର୍ବୋଦୟ ରେଡିଓ ମୁଖ୍ୟ ଡ଼ା ବିଶ୍ୱଜିତ୍ ଅତିଥି ପରିଚୟ ପ୍ରଦାନ କରିଥିଲେ।ଇଁ ଧନେଶ୍ୱର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁରଲୀଧର ମୂଳିଆ ଧନ୍ୟବାଦ ଅର୍ପଣ କରିଥିଲେ। ଆଲୋଚନାରେ ଡ଼ା ଇନ୍ଦିରା ଦାଶ, ଡ଼ା ରମା ଗଡ଼ନାୟକ ବ୍ରହ୍ମଜ୍ୟୋତି ମିଶ୍ର ଏବଂ ସର୍ବୋଦୟ ନେତ୍ରୀ କ୍ରିଷ୍ଣା ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଆଦ୍ୟଶ୍ଳୋକ ମିଶ୍ର ସଭା ପରିଚାଳନାରେ ସହାୟତା କରିଥିଲେ।











