ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଳଲହଡ଼ା ବ୍ଲକ କଂଗ୍ରେସ କମିଟିର ପୁନର୍ଗଠନ କରାଯାଇଛି। ରାଜ୍ୟ କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନ ନୂତନ କମିଟିର ଘୋଷଣା କରିଛନ୍ତି।
ନୂତନ କମିଟିରେ ସରୋଜ କୁମାର ସାହୁଙ୍କୁ ବ୍ଲକ ସଭାପତି ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି। ଏଥିସହିତ ପ୍ରତାପ କୁମାର ସାହୁ, ଅଭିମନ୍ୟୁ ନାଏକ, ଅକ୍ଷୟ ସାହୁ, ଗଣେଶ୍ଵର ବିଶ୍ଵାଳ, ନବଘନ କିଷାନ ଓ ଯୁଧିଷ୍ଠିର ଦେହୁରୀଙ୍କୁ ଉପସଭାପତି ଭାବେ ନିଯୁକ୍ତ କରାଯାଇଛି। ସେହିପରି ପଙ୍କଜ ବେହେରାଙ୍କ ସମେତ ୬ ଜଣ ସାଧାରଣ ସମ୍ପାଦକ ଏବଂ ପ୍ରଶାନ୍ତ କୁମାର ସାହୁଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି। ଏହାଛଡ଼ା ୩ ଜଣ ଜୋନ ସଭାପତି, ୧୭ ଜଣ ସମ୍ପାଦକ, ୮ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟ ଏବଂ ୭ ଜଣ କମିଟି ସଦସ୍ୟଙ୍କୁ ନେଇ ଏହି କମିଟି ଗଠିତ ହୋଇଛି।
ନିଯୁକ୍ତି ପରେ ସଭାପତି ସରୋଜ ସାହୁ ରାଜ୍ୟ ନେତୃତ୍ଵଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ପାଳଲହଡ଼ା ବ୍ଲକରେ କଂଗ୍ରେସକୁ ଏକ ନମ୍ବର ଦଳ ଭାବେ ଗଢ଼ି ତୋଳିବା ପାଇଁ ସେ ଦୃଢ଼ ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି।











